କେରଳରେ ଲଗାଣ ବର୍ଷା ପରେ ଭୟଙ୍କର ଭୂସ୍ଖଳନ, ୧୯ ମୃତ

ନୂଆଦିଲ୍ଲୀ: କେରଳର ଓ୍ବାଇନାଡରେ ଲଗାଣ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ରହିଥିବା ସୂଚନା ମିଳିଛି। ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟା ୧୦ରେ ଆଉ ଏକ ଭୂସ୍ଖଳନ ଘଟିଥିଲା । ପ୍ରାୟ ୧୦୦ରୁ ଅଧିକ ଲୋକ ମାଟି ତଳେ ପଶିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ଜଣାପଡିଛି। ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଟିମ୍ ଏବଂ ବାୟୁସେନାର ଦୁଇଟି ହେଲିକପ୍ଟର ନିୟୋଜିତ ଅଛି। ଜରୁରୀକାଳୀନ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଭୂସ୍ଖଳନ ଯୋଗୁ ୧୬ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଓ୍ୱାଇନାଡର ମେପ୍ପାଡିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଏହି ଅଘଟଣକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଉଦ୍ଧାର କାର୍ଯ୍ୟରେ ରାଜ୍ୟର ସମସ୍ତ ସରକାରୀ ଏଜେନ୍ସି ନିୟୋଜିତ ଅଛନ୍ତି । ପ୍ରପୀଡିତ ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ଯ ସହଯୋଗ ଯୋଗାଇ ଦିଆଯିବ। ଆସନ୍ତା ତିନି ଘଣ୍ଟା ମଧ୍ୟରେ କେରଳର କୋଲାମ, ଆଲାପୁଝା, କୋଟାୟାମ, ଏର୍ନାକୁଲମ୍ଏବଂ ମାଲାପୁରମ୍ ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ନେଇ ସମ୍ଭାବନା ରହିଛି।
Powered by Froala Editor