ଭିମ୍ସାରରେ ଅଘଟଣ, ସିଟିସ୍କାନ୍ କକ୍ଷରେ ଖସିଲା ସିଲିଂ

ସମ୍ବଲପୁର ବୁର୍ଲା ଭିମସାରରେ ବଡ଼ ଅଘଟଣ ଘଟିଛି । ସିଟିସ୍କାନ୍ କକ୍ଷରେ ଜଣେ ରୋଗୀଙ୍କ ସ୍କାନିଂ ଚାଲିଥିବାବେଳେ ହଠାତ୍ ସିଲିଂ ଖସି ପଡ଼ିଛି । ତୁରନ୍ତ ମେସିନ୍ ବନ୍ଦ କରିଦିଆଯିବା ଫଳରେ ବଡ଼ ଦୁର୍ଘଟଣା ଟଳି ଯାଇଛି ।
ଭିମସାର ଆଉଟ୍ ଡୋର ବିଲ୍ଡିଂ କୋଠାର ତଳ ମହଲାରେ ରହିଛି ସିଟିସ୍କାନ କକ୍ଷ । କୋଠା ଛାତର ଭିତର ପାଶ୍ୱର୍ରେ ସିଲିଂ କାମ ହୋଇଛି । କିନ୍ତୁ ଉପର ମହଲାରୁ ପାଣି ଗଳି ଛାତ ଦେଇ ସିଲିଂରେ ଜମା ହେଉଥିବାରୁ ସିଲିଂ ନଷ୍ଟ ହୋଇଯାଇଥିଲା । ରବିବାର ସିଟି ସ୍କାନ ପାଇଁ ଜଣେ ଯୁବକଙ୍କୁ ମେଡିସିନ ବିଭାଗରୁ ସେଠାକୁ ନିଆଯାଇଥିଲା । ସନ୍ଧ୍ୟା ପ୍ରାୟ ୬ଟାରେ ଯୁବକଙ୍କୁ ସିଟିସ୍କାନ କରିବା ପାଇଁ ମେସିନରେ ଥିବା ଶଯ୍ୟାରେ ଶୁଆଇ ଦିଆଯାଇଥିଲା । ଏହି ସମୟରେ ହଠାତ୍ ସିଲିଂ ଖସି ପଡ଼ିଥିଲା ।
ଭଙ୍ଗା ସିଲିଂରୁ କିଛି ମେସିନ ଉପରେ ପଡ଼ିଥିବା ବେଳେ ଆଉ କିଛି କୋଠରିର ବିଭିନ୍ନ ସ୍ଥାନରେ ବିଛାଡ଼ି ପଡ଼ିଥିଲା । ପାଣି ମଧ୍ୟ ମେସିନ୍ ସମେତ ଚାରିଆଡ଼େ ପଡ଼ିଥିଲା । କର୍ମଚାରୀମାନେ ତୁରନ୍ତ ମେସିନ୍କୁ ବନ୍ଦ କରି ଦେଇଥିଲେ । ଫଳରେ ଏକ ବଡ଼ ଅଘଟଣ ଟଳିବା ସହ ମେସିନ ଭିତରେ ଥିବା ରୋଗୀ ଜଣକ ଅଳ୍ପକେ ରକ୍ଷା ପାଇଯାଇଥିଲେ ।
Powered by Froala Editor