କେନ୍ଦୁଝର, ଢେଙ୍କାନାଳ ପରେ ନୟାଗଡ଼ରେ ବାଘ ଆତଙ୍କ

କେନ୍ଦୁଝର ଓ ଢେଙ୍କାନାଳ ପରେ ନୟାଗଡ଼ ଜିଲ୍ଲାରେ ବାଘ ଆତଙ୍କ ଦେଖାଦେଇଛି । କିଛି ଦିନ ହେଲା କେନ୍ଦୁଝର ଜଙ୍ଗଲରେ ମହାବଳ ବାଘ ବୁଲୁଛି ବୋଲି ସୂଚନା ମିଳିଛି । ସେହିପରି ଢେଙ୍କନାଳ ବନଖଣ୍ଡରେ କଲରାପତିରିଆ ବାଘ ଆକ୍ରମଣ କରୁଥିବାରୁ ଲୋକେ ଭୟଭୀତ ରହିଛନ୍ତି । ପୁଣି ନୟାଗଡ ଜିଲ୍ଲା ନୂଆଗାଁ ଏବଂ ଓଡ଼ଗାଁ ବ୍ଲକ ଅଧୀନରେ ଥିବା ଜଙ୍ଗଲରେ ଏକ ମହାବଳ ବାଘ ବୁଲିଥିବା ଲୋକଙ୍କ ନଜରକୁ ଆସିଲାଣି । କେତେକ ଚାଷୀ ବାଘକୁ ଦେଖିଥିବା କହୁଥିବାବେଳେ କେତେକ ବାଘର ପାଦଚିହ୍ନ ଦେଖିଛନ୍ତି । ପାଦଚିହ୍ନରୁ ଏହା ଏକ ମହାବଳ ବାଘ ହୋଇଥିବା ସ୍ପଷ୍ଟ ଅନୁମାନ କରାଯାଇଛି ।
ଲୋକଙ୍କ କହିବାନୁଯାୟୀ, କିଛି ଦିନ ତଳେ କିମ୍ବିରୀ ଗ୍ରାମର ନଟିଆ ଜାନୀଙ୍କ ବାଛୁରୀ ଜଙ୍ଗଲକୁ ଚିରିବାକୁ ଯାଇଥିବାବେଳେ ବାଘ ବାଛୁରୀଟିର ପଛ ପଟ ଖାଇ ଚାଲିଯାଇଛି । ବାଛୁରୀ ଘରକୁ ନଆସିବାରୁ ଗ୍ରାମବାସୀ ଖୋଜିବାକୁ ଯାଇ ଦେଖିବା ସହ ସେଠାରେ ବାଘର ପାଦଚିହ୍ନକୁ ଲକ୍ଷ୍ୟ କରି ଏହା ଏକ ମହାବଳ ବାଘ ବୋଲି ଚିହ୍ନଟ କରିଛନ୍ତି । ସେହିଭଳି ଜଙ୍ଗଲ ପାଖ ବିଲରେ କାମ କରୁଥିବା ଜଣେ ଚାଷୀ ବାଘକୁ ଜଙ୍ଗଲ କଡେକଡେ ଯାଉଥିବା ଦେଖିଛନ୍ତି । ବନବିଭାଗ ବାଘ ବୁଲୁଥିବା ଜଙ୍ଗଲରେ ସିସି କ୍ୟାମେରା ଲଗାଇବା ସହ ଦୁଇଟି ଯନ୍ତା ବସାଇ ବାଘକୁ ଧରିବାକୁ ଚେଷ୍ଟା କରିଥିଲା । କିନ୍ତୁ ବାଘ ଧରିବାରେ ବିଫଳ ହୋଇଛି । ବାଘଟି କେଉଁ ଜଙ୍ଗଲରୁ ଆସିଲା, କେବେ ଏବଂ ଏକା ନା ଆଉ କେତୋଟି ବାଘ ତା ସାଥୀରେ ଅଛି ତାହା ଜଣାପଡିନାହିଁ । ଏ ସଂପର୍କରେ ଡିଏଫ୍ଓ କ୍ଷମା ଷଡ଼ଙ୍ଗୀ କହିଛନି, ଆମେ ଶୁଣିବାକୁ ପାଇଛୁ ହେଲେ ବାଘ ଆମକୁ ମିଳି ପାରିନାହିଁ । ସେଥି ପାଇଁ ଜଙ୍ଗଲରେ କ୍ୟାମେରା ଲାଗିଛି ବୋଲି କହିଛନ୍ତି ।
କିଛି ଦିନ ତଳେ ନୟାଗଡ଼ ଜଙ୍ଗଲରେ ମହାବଳ ବାଘ ବୁଲୁଥିବାର ଏକ ଭିଡିଓ ମୋବାଇଲରେ ଭାଇରାଲ ହୋଇଥିଲା । ପରେ ଏହା ମିଥ୍ୟା ବୋଲି ଜଣାପଡିଥିଲା । ଭିଡିଓଟି ମହାରାଷ୍ଟ୍ରର କୌଣସି ଏକ ଜଙ୍ଗଲର ବୋଲି ବନିବିଭାଗ ସ୍ପଷ୍ଟ କରିଥିଲା । ହେଲେ ଏବେ ମହାବଳ ବାଘ ଜଙ୍ଗଲରେ ବୁଲୁଥିବାରୁ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।
Powered by Froala Editor