ମାଛ ଧରୁଥିବା ବେଳେ ବୁଡିଗଲେ ଯୁବକ

ମହାକାଳପଡ଼ା: ଶୁକ୍ରବାର ମହାନଦୀର ବନ୍ତନାଶିଠାରେ ମାଛ ଧରୁଥିବା ବେଳେ ଜଣେ ଯୁବକ ବୁଡିଯାଇଛନ୍ତି। ସ୍ତ୍ରୀ ଓ ଶାଳକଙ୍କ ଆଖି ସମ୍ମୁଖରେ ଏହି ଘଟଣା ଶୁକ୍ରବାର ମଧ୍ୟାହ୍ନରେ ଘଟିଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଖୋଜ ଯୁବକଙ୍କ ନାମ ପିଣ୍ଟୁ ଦାସ। ସେ ଜଣେ ମତ୍ସ୍ୟଜୀବି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାକୁ ନେଇ ମହାକାଳପଡ଼ା ବ୍ଲକ୍ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି।
ସାମୁଦ୍ରିକ ଜୁଆର ପ୍ରଭାବ ଥିବାରୁ ମହାନଦୀରେ ଭଲ ମାଛ ପଡୁଥିବା ଶୁଣି ପିଣ୍ଟୁ ଦାସ ସ୍ତ୍ରୀ ଓ ଶାଳକଙ୍କ ସହ ମିଶି ଶୁକ୍ରବାର ମଧ୍ୟାହ୍ନରେ ମହାନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ମହାନଦୀରେ ଭଉଁରୀ ଜାଲ ପକାଇ ମାଛ ଧରୁଥିବା ବେଳେ ସେ ଗଭୀର ଜଳକୁ ଚାଲିଯାଇଥିଲେ। ପ୍ରଖର ସ୍ରୋତ ଥିବାରୁ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ଗଭୀର ଜଳରେ ବୁଡି ନିଖୋଜ ହୋଇଯାଇ ଥିଲେ। ଖବର ପାଇ ପୋଲିସ ଓ ମହାକାଳପଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ବୋଟ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ସନ୍ଧ୍ୟାସୁଦ୍ଧା ପିଣ୍ଟୁଙ୍କୁ ଉଦ୍ଧାର କରାଯାଇପାରି ନ ଥିଲା। ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିଥିଲେ।
Powered by Froala Editor