ପ୍ୟାକେଟ୍ ଖାଦ୍ୟରେ କେତେ ମାତ୍ରାରେ ରହିଛି ଚିନି, ଲୁଣ ଓ ଫ୍ୟାଟ Bold ଅକ୍ଷରରେ ଲେଖିବେ କମ୍ପାନୀ
ଏଣିକି ପ୍ୟାକେଟ୍ ଭିତରେ ବନ୍ଦ ହୋଇ ରହିଥିବା ଖାଦ୍ୟ ପଦାର୍ଥରେ ଲୁଣ, ଚିନି ଓ ସାଚୁରେଟେଡ ଫ୍ୟାଟର ମାତ୍ରା ବିଷୟରେ କମ୍ପାନୀମାନଙ୍କୁ ବଡ଼ ଓ ବୋଲ୍ଡ ଅକ୍ଷରରେ ଲେଖିବାକୁ ପଡ଼ିବ । ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଶନିବାର ପ୍ୟାକେଟ ଖାଦ୍ୟର ଲେବେଲିଂ ନିୟମରେ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି। ବୋଲ୍ଡ ଅକ୍ଷର ସହିତ ବଡ଼ ଫଣ୍ଟରେ ଏନେଇ ସୂଚନା ଦେବା ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କମ୍ପାନୀମାନଙ୍କୁ ପ୍ୟାକେଜିଂ ସାମଗ୍ରୀର ସମ୍ବନ୍ଧୀୟ ସୂଚନା ମୋଟା ଅକ୍ଷର ଓ ବୋଲ୍ଡ ଫଣ୍ଟ ସାଇଜରେ ପ୍ରଦର୍ଶିତ କରିବାକୁ ପଡ଼ିବ ।
ବର୍ତ୍ତମାନ, ଏହି ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରି ସମସ୍ତ ହିତାଧିକାରୀଙ୍କଠାରୁ ପରାମର୍ଶ ଏବଂ ଆପତ୍ତି ନିଆଯିବ। FSSAI ଅଧ୍ୟକ୍ଷ ଅପୂର୍ବ ଚନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଛି। ଗ୍ରାହକଙ୍କୁ ଉତ୍ପାଦର ପୁଷ୍ଟିକର ମୂଲ୍ୟକୁ ଭଲ ଭାବରେ ବୁଝିବା ଏବଂ ଉତ୍ତମ ନିଷ୍ପତ୍ତି ନେବାକୁ ସକ୍ଷମ କରିବାକୁ ଏହି ସଂଶୋଧନର ଲକ୍ଷ୍ୟ ରହିଛି ବୋଲି ନିୟାମକ କହିଛନ୍ତି।
ନିକଟରେ FSSAI ଇ-କମର୍ସ ଓ୍ୱେବ୍ସାଇଟ୍କୁ 'ହେଲ୍ଥ ଡ୍ରିକ୍ସ' ଶବ୍ଦ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଏବେ ସମସ୍ତ ଫୁଡ୍ ବିଜନେସ୍ ଅପରେଟର୍ସ (ଏଫବିଓ)କୁ ପୁନଃସ୍ଥାପିତ ଫଳ ରସର ଲେବଲ୍ ଏବଂ ବିଜ୍ଞାପନରୁ ‘୧୦୦% ଫଳ ରସ’ର ଦାବି ହଟାଇବାକୁ କହିଛି।
ଏଫବିଓ ଗୁଡ଼ିକୁ ଗହମ ମଇଦା/ବିଶୋଧିତ ଗହମ ମଇଦା ଶବ୍ଦ ବ୍ୟବହାର ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି FSSAI । ଏଫବିଓ ଦ୍ୱାରା ବିଭ୍ରାନ୍ତିକର ଦାବିକୁ ରୋକିବା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
Powered by Froala Editor