ହାଥରସ ମୃତ୍ୟୁ ସଂଖ୍ୟା ୧୨୧କୁ ବୃଦ୍ଧି, ଭୋଲେ ବାବାଙ୍କ ନାଁରେ ଅଛି ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ

ଉତ୍ତରପ୍ରଦେଶ ହାଥରସ ରତିଭାନପୁରରେ ସତସଙ୍ଗ ଚାଲିଥିବା ବେଳେ, ଦଳାଚକଟାରେ ପ୍ରାଣ ହରାଇଛନ୍ତି ୧୨୧ ଜଣ। ଏଥିସହ ଶତାଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଅଘଟଣ ପରେ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତକଙ୍କ ମଧ୍ଯରେ ରହିଛନ୍ତି କେତେକ ଶିଶୁ ଓ ମହିଳା।
ସ୍ଥାନୀୟ ଜଣେ ଗୁରୁ ଭୋଲେ ବାବା ନାରାୟଣ ସାକର ହରିଙ୍କ ଏହି ଉତ୍ସବ ପାଳନ ହେଉଥିବା ବେଳେ ଅଘଟଣ ଘଟିଥିଲା। ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି। ସତସଙ୍ଗର ଆୟୋଜନ କରିଥିବା ଆତ୍ମଘୋଷିତ ଭୋଲେ ବାବାଙ୍କ ଚରିତ୍ରକୁ ନେଇ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି। ଉକ୍ତ ବାବାଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ସହ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି।
ସୂଚନା ଅନୁସାରେ, ସୁରଜ ପାଲ ଓରଫ୍ ଭୋଲେ ବାବାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ରହିଛି। ଏଥିସହ ଆଗ୍ରା, ଏଟାୱା, କାସଗଞ୍ଜ, ଫାରୁଖବାଦ୍ ଏବଂ ରାଜସ୍ଥାନ ସମେତ ବିଭିନ୍ନ ପ୍ରାଧିକରଣରେ ତାଙ୍କ ବିରୋଧରେ ଏକାଧିକ ମାମଲା ଦାଖଲ ହୋଇଥିଲା।
ସୁରଜ ପାଲଙ୍କ ପୈତୃକ ଘର କସରଗଞ୍ଜ ବାହାଦୂର ନଗରରେ। ସେ ବେଲରେ ଆସିବା ପରେ ସେଠାରେ ଏକ ଆଶ୍ରମ ତିଆରି କରିଥିଲେ ଏବଂ ନିଜକୁ 'ସାକର ବିଶ୍ୱ ହରି ବାବା' ରୂପେ ଘୋଷିତ କରିଥିଲେ। ଏହାପରେ ତାଙ୍କ ପାଖକୁ ଜଣକ ପରେ ଜଣେ ଭକ୍ତଙ୍କ ଭିଡ଼ ଜମିଥିଲା।
Powered by Froala Editor