ବ୍ରେକ୍ ଫେଲ ହେବାରୁ ଚଳନ୍ତା ବସ୍ରୁ ଡେଉଁଥିଲେ ଲୋକେ, ଯବାନ କଲେ ଏମିତି କାମ...
ଜମ୍ମୁରେ ଏକ ତୀର୍ଥଯାତ୍ରୀ ବସ୍ର ବ୍ରେକ ଫେଲ ହେବାରୁ ନିୟନ୍ତ୍ରଣ ହରାଇଥିଲା । ଲୋକେ ଭୟରେ ବସରୁ ଡେଇଁବା ଆରମ୍ଭ କରିଥିଲେ । କିନ୍ତୁ ସେତେବେଳେ ବି ବଡ଼ ଅଘଟଣ ଘଟିଥାନ୍ତା । ଯାହାକୁ ରୋକିଦେଇଛନ୍ତି ଯବାନମାନେ । ମଙ୍ଗଳବାର ରାମବନ ଜିଲାର ରାଜ୍ୟ ରାଜପଥ ୪୪ରେ ଅମରନାଥରୁ ଫେରୁଥିବା ବସ୍ ନିୟନ୍ତ୍ରଣ ହରାଇଥିଲା । ବସ୍ର ବ୍ରେକ୍ ଫେଲ୍ ହୋଇଯିବାରୁ ସେଥିରେ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। ଏହି ସମୟରେ ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ସେନା ଯବାନ ଉକ୍ତ ବସ୍ ପଛରେ ଗୋଡ଼ାଇଥିଲେ । ବସ୍ର ଗତି ଧୀର ଥିବାରୁ ସେମାନେ ବସ୍ ଚକା ତଳକୁ ପଥର ଫୋପାଡ଼ିଥିଲେ। ଫଳରେ ବସ୍ଟି ଏକ ଖାଇକୁ ଖସିବା ପୂର୍ବରୁ ଅଟକି ଯାଇଥିଲା। ଆଉ ୪୪ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ଜଣ ପୁରୁଷ, ୩ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ଆମ୍ବୁଲାନ୍ସ ଯୋଗେ ସେନା ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତ ଯାତ୍ରୀଙ୍କୁ ଚିକିତ୍ସା ସହାୟତା ଏବଂ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଛନ୍ତି। ତେବେ ଯବାନଙ୍କ ଉଦ୍ୟମକୁ ପ୍ରଶଂସା କରାଯାଉଛି । ସେମାନେ ଘଟଣାସ୍ଥଳରେ ନଥିଲେ ହୁଏତ ବଡ ଧରଣର ଅଘଟଣ ଘଟିଥାନ୍ତା ।
Powered by Froala Editor