ଇସ୍ତଫା ଦେଲେ ଚମ୍ପାଇ ସୋରେନ୍, ପୁଣି ହେମନ୍ତ ହେବେ ଝାଡ଼ଖଣ୍ଡ CM
ପୁଣି ହେମନ୍ତ ସୋରେନ ହେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ହେମନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଝାଡ଼ଖଣ୍ଡ ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ହୋଇଥିଲା। ବେଆଇନ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ୫ ମାସ ରହିବା ପରେ ଝାଡଖଣ୍ଡ ହାଇକୋର୍ଟ ଗତ ଜୁନ ୨୮ ତାରିଖରେ ତାଙ୍କୁ ମୁକ୍ତି ଦେଇଥିଲେ। ୨୦୦୦ ମସିହାରେ ଝାଡଖଣ୍ଡ ଗଠିତ ହେବା ପରେ ହେମନ୍ତ ହେବେ ତ୍ରୟୋଦଶ ମୁଖ୍ୟମନ୍ତ୍ରୀ।
JMMର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ମହାଗଠବନ୍ଧନ ତରଫରୁ ବିଧାୟକ ଦଳର ନେତା ହେମନ୍ତ ସାରେନଙ୍କୁ ଚୟନ କରାଯାଇଥିବା ରାଜଭବନକୁ ସୂଚନା ଦିଆ ଯାଇଛି । ଆସନ୍ତା ଜୁଲାଇ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନ୍ ଶପଥ ଗ୍ରହଣ କରିବା ନେଇ ଚିଠିରେ କୁହାଯାଇଛି । ଏହି ଶପଥଗ୍ରହଣ ଉତ୍ସବରେ ସମସ୍ତ ମନ୍ତ୍ରୀ ମଧ୍ୟ ଶପଥଗ୍ରହଣ କରିବେ । ତେବେ ଏହି ଉତ୍ସବ କେଉଁଠରେ ଅନୁଷ୍ଠିତ ହେବ, ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।
ସେପଟେ ଚମ୍ପାଇଙ୍କୁ ୟୁପିଏ ସମନ୍ବୟ କମିଟିର ଅଧ୍ଯକ୍ଷ ଓ ଜେଏମଏମ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଛି। ଇଣ୍ଡିଆ ମେଣ୍ଟ ପକ୍ଷରୁ ଝାଡ଼ଖଣ୍ଡ ଦାୟିତ୍ବରେ ଥିବା କଂଗ୍ରେସ ନେତା ଗୁଲାମ ଅହମ୍ମଦ ମୀର ଓ ରାଜ୍ଯ ସଭାପତି ରାଜେଶ ଠାକୁର ଉପସ୍ଥିତ ଥିଲେ। ୬୭ ବୟସ୍କ ଚମ୍ପାଇ ସୋରେନ ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଜଣେ ଘନିଷ୍ଠ ବନ୍ଧୁ।
Powered by Froala Editor