ଭୋଲେବାବାଙ୍କ ଉତ୍ସବ ପାଲଟିଲା କାଳ : ଦଳାଚକଟାରେ ପ୍ରାଣ ହରାଇଲେ ୧୧୬
ଉତ୍ତରପ୍ରଦେଶର ହାଥରସ ରତିଭାନପୁର ସତସଙ୍ଗ ବେଳେ ଦଳାଚକଟାରେ ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଆହତ ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ତିନି ଜଣ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି। ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସ୍ଥାନୀୟ ଜଣେ ଗୁରୁ ଭୋଲେ ବାବା ନାରାୟଣ ସାକର ହରିଙ୍କ ସ୍ମୃତିରେ ଏହି ଉତ୍ସବ ପାଳନ ହେଉଥିବାବେଳେ ଏହି ଅଘଟଣ ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଏଠାରେ ବହୁତ ଭିଡ଼ ଜମି ଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ଆମେ ସମସ୍ତେ ଘରକୁ ଫେରିଯିବାକୁ ବାହାରିଥିଲୁ। ତେବେ ବାହାରିବା ସ୍ଥାନଟି ଖୁବ୍ ଛୋଟ ଥିଲା। ଆମେ ସେଠାରୁ ବାହାରିବାକୁ ଉଦ୍ୟମ କରୁଥିବା ବେଳେ ଠେଲାପେଲା ଆରମ୍ଭ ହୋଇଗଲା। ପରେ ଏହା ଦଳାଚକଟାର ରୂପ ନେଇଥିଲା। ଦଳାଚକଟା ବେଳେ କିଛି ଲୋକ ସେଥିରୁ ବର୍ତ୍ତିବାକୁ ଉଦ୍ୟମ କରି ରାସ୍ତାକଡ଼ରେ ଥିବା ଡ୍ରେନ୍ରେ ପଡ଼ି ଯାଇଥିଲେ। ରାସ୍ତା ଉଚ୍ଚରେ ଥିଲା ଓ ତା’ ତଳେ ଡ୍ରେନ୍ ଥିଲା। ସେତେବେଳେ ଆମେ ଜାଣିପାରିଲୁନି କ’ଣ କରିବୁ। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୨୦-୨୫ ଲୋକଙ୍କ ମୃତ୍ୟୁ ଘଟିଛି।
ବ୍ୟବଚ୍ଛେଦ ପାଇଁ ସେଗୁଡ଼ିକୁ ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଛି। ଏହି ଘଟଣାରେ ମାମଲା ରୁଜୁ ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ଯେଉଁମାନେ ଅନୁମତି ଲୋଡିଥିଲେ, ସେମାନଙ୍କ ନାଁ ଏଥିରେ ଯୋଡ଼ା ଯିବ। ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ଯେତିକି ଲୋକଙ୍କ ପାଇଁ ଅନୁମତି ଦିଆଯାଇଥିଲା, ତା’ଠାରୁ ଢେର ଅଧିକ ଏଥିରେ ସାମିଲ ହୋଇଥିଲେ।
ଘଟଣାସ୍ଥଳକୁ ଯାଇଛନ୍ତି ଦୁଇ ମନ୍ତ୍ରୀ ସନ୍ଦୀପ ସିଂ ଓ ଲକ୍ଷ୍ମୀ ନାରାୟଣ ଚୌଧୁରୀ। ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ସ୍ଥିତି ସମୀକ୍ଷା କରିଛନ୍ତି। ମୃତବ୍ଯକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଆହତ ବ୍ଯକ୍ତିଙ୍କ ପରିବାରକୁ ୫୦ ହଜାର ଲେଖାଏ ଟଙ୍କା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଶୋକବ୍ଯକ୍ତ କରିଛନନ୍ତି।
Powered by Froala Editor