ଅଟଳ ସେତୁରେ ଫାଟ, ୫ ମାସ ତଳେ ଉଦ୍ଘାଟନ ହୋଇଥିଲା

ଭାରତର ଦୀର୍ଘତମ ଅଟଳ ସେତୁର ରାସ୍ତାରେ ଫାଟ ସୃଷ୍ଟି ହୋଇଛି । ଅଟଳ ବିହାରୀ ବାଜପେୟୀ ସେୱରି-ନହାଭ ସେବା ସେତୁ ନାମରେ ନାମିତ ଏହି ସେତୁକୁ ମୁମ଼୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ ବୋଲି ମଧ୍ୟ କୁହାଯାଏ । ଏହି ସେତୁର ପ୍ରସ୍ଥାନ ରାସ୍ତା ଅର୍ଥାତ ନଭି ମୁମ଼୍ବାଇ ଆଡ଼କୁ ପଡ଼ିଥିବା ରାସ୍ତାରେ ଫାଟ ଦେଖିବାକୁ ମିଳିଛି ।
ଏହି ସେତୁର ରାସ୍ତାରେ ଫାଟକୁ ନେଇ ଏବେ ରାଜନୀତି ତେଜିଛି । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ଉକ୍ତ ସ୍ଥାନ ଗସ୍ତ କରି ସ୍ଥିତି ପରିଖିବା ସହିତ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, “ଆମେ ଯାହା କହୁଛୁ, ସେସବୁ କେବଳ ଅଭିଯୋଗ ନୁହେଁ ବୋଲି ପ୍ରମାଣ କରିବାକୁ ମୁଁ ଏଠାକୁ ଆସିଛି। ସରକାର ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ ସେମାନେ ଲୋକଙ୍କ ପାଇଁ କାମ କରୁଛନ୍ତି। କିନ୍ତୁ ଆପଣମାନେ ଏଠାରେ ହୋଇଥିବା ଦୁର୍ନୀତିକୁ ଦେଖିପାରୁଥିବେ।
ସେମାନେ ନିଜ ପକେଟକୁ ଫୁଲ କରିବାରେ ଲାଗିଛନ୍ତି। କିନ୍ତୁ ଲୋକଙ୍କୁ ବିପଦରେ ପକାଇବାକୁ ଅଧିକାର ସେମାନଙ୍କୁ କିଏ ଦେଲା? ଲୋକମାନେ ଏବେ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ କେମିତି ହଟା ଯିବ, ତା’ର ଯୋଜନା କରିବା ଦରକାର ”ବୋଲି ସେ କହିଛନ୍ତି ।
ଦେଶର ସର୍ବବୃହତ୍ତ ସାମୁଦ୍ରିକ ସେତୁର ଆଖ୍ୟା ପାଇଥିବା ଏହି ବ୍ରିଜ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତ୍ର ୫ ମାସ ତଳେ ଉଦଘାଟନ କରିଥିଲେ। ଅଟଳ ସେତୁକୁ ନିର୍ମାଣ କରିବା ପାଇଁ ୧୭,୮୪୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଭାରତ ରତ୍ନ ସମ୍ମାନରେ ସମ୍ମାନୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ କରାଯାଇଛି। ମୁମ୍ବାଇ ଓ ନଭି ମୁମ୍ବାଇ ମଧ୍ୟରେ ଦୂରତା ହ୍ରାସ କରିବାକୁ ଏହି ସେତକୁ ନିର୍ମାଣ କରାଯାଇଥିଲା।
Powered by Froala Editor