ରାହୋବନ ନାଟକରେ ରାମ, ସୀତାଙ୍କୁ ଅପମାନ : ୮ ଛାତ୍ରଙ୍କ ଉପରେ ଲାଗିଲା ଲକ୍ଷେ ୬୦ ହଜାର ଜରିମାନା
ବମ୍ବେ ଆଇଆଇଟିର ବାର୍ଷିକ ଉତ୍ସବରେ କିଛି ଛାତ୍ର ଏକ ନାଟକ ପରିବେଷଣ କରିଥିଲେ। କିଛି ଗ୍ରାଜୁଏଟ୍ ଓ ଜୁନିଅର୍ ଛାତ୍ର ମିଶି ଏହି ନାଟକ ପରିବେଷଣ କରିଥିଲେ। ଏହାର ନାଁ ଥିଲା ରାହୋବନ। ଏହା ରାମାୟଣ ଉପରେ ଆଧାରିତ ଥିଲା। ତେବେ ଏହି ନାଟକ ଜରିଆରେ ଛାତ୍ରମାନେ ଭଗବାନ ରାମ ଓ ସୀତାଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।
ଏହି ଅଭିଯୋଗ ପରେ ସମସ୍ତ ୮ ଛାତ୍ରଙ୍କୁ ବମ୍ବେ ଆଇଆଇଟି ପକ୍ଷରୁ ନୋଟିସ୍ ଜରି କରାଯାଇଛି। ଗ୍ରାଜୁଏଟ୍ ଛାତ୍ରଙ୍କ ଉପରେ ୧ଲକ୍ଷ ୨୦ହଜାର ଟଙ୍କା ଜୋରିମାନା ଲାଗୁ କରାଯିବା ସହ ସେମାନଙ୍କ ଜିମଖାନା ପୁରସ୍କାର ପାଇଁ ମଧ୍ୟ ମାନ୍ୟତା ରଦ୍ଦ କରାଯାଇଛି। ଅନ୍ୟପଟେ ଜୁନିୟରମାନଙ୍କୁ ୪୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ଛାତ୍ରମାନଙ୍କ ହଷ୍ଟେଲ ସୁବିଧା ଉପରେ ମଧ୍ୟ ବ୍ୟାନ୍ ଲଗାଯାଇଛି। ଅନୁଶାସନାତ୍ମକ କମିଟିର ସୁପାରିଶକୁ ଆଧାର କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ଅନୁଯାୟୀ, ପରଫରମିଂ ଆର୍ଟସ୍ ଫେଷ୍ଟିଭାଲ ହେଉଛି ଆଇଆଇଟି-ବମ୍ବେର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ। ମାର୍ଚ୍ଚ ମାସରେ ଏହାର ଆୟୋଜନ କରାଯାଇଥିଲା। 'ରାହୋବନ' ନାଟକ ୩୧ ମାର୍ଚ୍ଚରେ କ୍ୟାମ୍ପସ ପରିସରରେ ହୋଇଥିଲା। ପରେ ଏହି ନାଟକର ଭିଡିଓ ଭାଇରାଲ ହୋଇଥିଲା। ଛାତ୍ରମାନେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି।
Powered by Froala Editor