ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ

ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍କେଏମ୍)ର ଅଧ୍ୟକ୍ଷ ପ୍ରେମ ସିଂ ତାମଙ୍ଗ ଦ୍ୱିତୀୟ ଥର ପାଇଁ ସିକିମ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସିକ୍କିମର ପାଲଜୋର ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଶପଥ ଗ୍ରହଣ କରିଛନ୍ତି ତମାଙ୍ଗ। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ମନ୍ତ୍ରୀ ପରିଷଦର ସଦସ୍ୟମାନେ ମଧ୍ୟ ଶପଥ ନେଇଛନ୍ତି।
ସିକ୍କିମ ବିଧାନସଭା ନିର୍ବାଚନରେ ଏସ୍କେଏମ୍ ୩୨ ଆସନରୁ ୩୧ଟିରେ ବିଜୟୀ ହୋଇ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ବିରୋଧୀ ଦଳ ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସ୍ଡିଏଫ୍)କୁ ମାତ୍ର ଗୋଟିଏ ଆସନ ମିଳିଥିଲା। ଏହି ବିଜୟ ସହ ତମାଙ୍ଗଙ୍କ ଲୋକପ୍ରିୟତା ସ୍ପଷ୍ଟ ହୋଇଯାଇଛି। ସେ ମଧ୍ୟ ପ୍ରାର୍ଥୀ ହୋଇଥିବା ଦୁଇଟି ଆସନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ନିର୍ବାଚନ ବେଳେ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଛି, ୫ ବର୍ଷରେ ସବୁ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ସହ ସିକିମ୍ର ୩୨ ବିଧାନସଭା ଆସନ ଲାଗି ମତଦାନ ଅନୁଷ୍ଠିତ ହୋଇଥିଲା। ପ୍ରେମ ସିଂ ରେନୋକ୍ ଆସନରୁ ଏସ୍ଡିଏଫ୍ ପ୍ରାର୍ଥୀ ସୋମନାଥ ପୌଡ୍ୟାଲଙ୍କୁ ୭,୩୯୬ ଭୋଟ ବ୍ୟବଧାନରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
Powered by Froala Editor