ମୋତିଡୁଙ୍ଗରୀ ମନ୍ଦିର ଆକର୍ଷଣ : ଏଥର ୩ ହଜାର କିଲୋ ଘିଅରେ ମୋଦକ ପ୍ରସ୍ତୁତି
ରାଜସ୍ଥାନର ଜୟପୁରରେ ମୋତିଡୁଙ୍ଗରୀ ଗଣେଶ ମନ୍ଦିରରେ ଗଣେଶ ଚତୁର୍ଥୀ ଅବସରରେ ବିଶେଷ ପୂଜାର୍ଚ୍ଚନା ସହ ଉତ୍ସବର ଶୁଭାରମ୍ଭ ହୋଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ମନ୍ଦିରରେ ଭଗବାନ ଗଣେଶଙ୍କ ପାଇଁ ବିଶେଷ ଶୃଙ୍ଗାର, ପୂଜା ଓ ପ୍ରସାଦର ବ୍ୟବସ୍ଥା କରାଯାଇଛି।
ମୋତିଡୁଙ୍ଗରୀ ଗଣେଶ ମନ୍ଦିର ଜୟପୁରର ଏକ ପ୍ରମୁଖ ଧାର୍ମିକ ସ୍ଥଳ। ଗଣେଶ ଚତୁର୍ଥୀ ସମୟରେ ଏଠାରେ ବିଶେଷ ଆସ୍ଥା ଓ ଭକ୍ତିର ପରିବେଶ ସୃଷ୍ଟି ହୁଏ। ଗଣେଶୋତ୍ସବ ସମୟରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ବଢ଼ିବାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ମନ୍ଦିର ପକ୍ଷରୁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଉଛି। ଭକ୍ତମାନେ ଯେପରି ସୁବ୍ୟବସ୍ଥିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।
ଏଥର ବିଶେଷ ଆକର୍ଷଣ ହେଉଛି ଭଗବାନ ଗଣେଶଙ୍କ ୩୪୮ କିଲୋ ପଞ୍ଚାମୃତରେ ଅଭିଷେକ। ଏଥିରେ କ୍ଷୀର, ଦହି, ଘିଅ, ମହୁ ଓ ଚିନି ଭଳି ସାମଗ୍ରୀରେ ପ୍ରସ୍ତୁତ ପଞ୍ଚାମୃତରେ ବିଶେଷ ଭାବରେ ଏଥର ଅଭିଷେକ କରାଯାଉଛି। ଏହି ଅଭିଷେକ ପରେ ଭଗବାନଙ୍କୁ ବିଶେଷ ଶୃଙ୍ଗାର କରାଯାଇ ଭକ୍ତମାନଙ୍କ ପାଇଁ ଦର୍ଶନର ବ୍ୟବସ୍ଥା ରହିଛି।
ଗଣେଶ ପୂଜାରେ ମୋଦକର ବିଶେଷ ମହତ୍ତ୍ୱ ରହିଛି। ଏହି ପରମ୍ପରାକୁ ନଜରରେ ରଖି ମୋତିଡୁଙ୍ଗରୀ ମନ୍ଦିରରେ ବହୁ ପରିମାଣରେ ମୋଦକ ପ୍ରସ୍ତୁତ କରାଯାଉଛି। ପ୍ରାୟ୩ ହଜାର କିଲୋ ଘିଅ, ୩ ହଜାର କେଜି ବେସନ, ୯ ହଜାର କିଲୋ ଚିନି ଓ ୧ ହଜାର କିଲୋ ଡ୍ରାଏ ଫ୍ରୁଟସ୍ ବ୍ୟବହାର କରି ମୋଦକ ପ୍ରସ୍ତୁତିର ବ୍ୟବସ୍ଥା ହୋଇଛି। ଭଗବାନ ଗଣେଶଙ୍କୁ ଏହି ମୋଦକ ଭୋଗ ଲାଗିବା ସହ ଭକ୍ତମାନଙ୍କୁ ପ୍ରସାଦ ଭାବେ ବଣ୍ଟନ କରାଯିବ।
Powered by Froala Editor