ବକ୍ସ ଅଫିସ୍ରେ ‘ହନୁମାନ ଅଂଶ’ର ଜବରଦସ୍ତ କଲେକ୍ସନ୍
ମାତ୍ର ୨ କୋଟି ଟଙ୍କା ବଜେଟ୍ରେ ତିଆରି ହୋଇଥିବା ‘ହନୁମାନ ଅଂଶ’ ବକ୍ସ ଅଫିସ୍ରେ ଦମଦାର ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଛି। ରିଲିଜ୍ର ପ୍ରଥମ ତିନି ସପ୍ତାହରେ ଆଶାନୁରୂପ ରୋଜଗାର ହୋଇ ନଥିଲେ ମଧ୍ୟ ଚତୁର୍ଥ ଓ ପଞ୍ଚମ ସପ୍ତାହରେ ଫିଲ୍ମର କଲେକ୍ସନ୍ରେ ଜବରଦସ୍ତ ବୃଦ୍ଧି ଦେଖାଯାଇଛି। ଏହା ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର ୨’ର ପଞ୍ଚମ ସପ୍ତାହର ୧୯.୪୨ କୋଟି ଟଙ୍କାର ରେକର୍ଡକୁ ପଛରେ ପକାଇଛି। ‘ହନୁମାନ ଅଂଶ’ ପଞ୍ଚମ ସପ୍ତାହରେ ଏପର୍ଯ୍ୟନ୍ତ ୩୩.୬୨ କୋଟି ଟଙ୍କା କଲେକ୍ସନ୍ କରିସାରିଛି। ପଞ୍ଚମ ସପ୍ତାହ ଶେଷ ହେବାକୁ ଆହୁରି ୪ ଦିନ ବାକି ଥିବାରୁ ଏହାର କଲେକ୍ସନ୍ ଆହୁରି ବଢ଼ିବାର ଆଶା ରହିଛି। ଏହି ଆୟ ସହ ଫିଲ୍ମଟି ବଲିଉଡ୍ର ପଞ୍ଚମ ସପ୍ତାହର ସର୍ବାଧିକ ରୋଜଗାର କରିଥିବା ଫିଲ୍ମ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି।
ରିଲିଜ୍ ଦିନ ‘ହନୁମାନ ଅଂଶ’ ମାତ୍ର ୧୦ ଲକ୍ଷ ଟଙ୍କା ରୋଜଗାର କରିଥିଲା। ପ୍ରଥମ ସପ୍ତାହରେ ଏହାର ମୋଟ କଲେକ୍ସନ୍ ଥିଲା ୧.୦୮ କୋଟି ଟଙ୍କା। ଦ୍ୱିତୀୟ ସପ୍ତାହରେ ‘ଆବାରାପନ୍ ୨’ ଓ ‘ବଣ୍ଟୱାରା ୧୯୪୭’ ସହ ଫିଲ୍ମର ମୁକାବିଲା ହୋଇଥିଲା ଏବଂ ସେହି ସପ୍ତାହରେ କଲେକ୍ସନ୍ ମାତ୍ର ୪୦ ଲକ୍ଷ ଟଙ୍କା ଥିଲା। ତୃତୀୟ ସପ୍ତାହରେ ଯଶଙ୍କ ‘ଟକ୍ସିକ୍’ ରିଲିଜ୍ ହୋଇଥିଲେ ମଧ୍ୟ ‘ହନୁମାନ ଅଂଶ’ ୧୦.୪୦ କୋଟି ଟଙ୍କା ଆୟ କରିଥିଲା। ଏହାପରେ ଚତୁର୍ଥ ସପ୍ତାହରେ ଫିଲ୍ମର କଲେକ୍ସନ୍ ୬୧ କୋଟି ଟଙ୍କାରେ ପହଞ୍ଚିଥିଲା। ପଞ୍ଚମ ସପ୍ତାହରେ ମଧ୍ୟ ଫିଲ୍ମର ଦମଦାର ରୋଜଗାର ଜାରି ରହିଛି ଏବଂ ଏହା ୧୦୦ କୋଟି ଟଙ୍କାର ମାଇଲଷ୍ଟୋନ୍ ପାର କରିସାରିଛି। ‘ଧୁରନ୍ଧର’ ପଞ୍ଚମ ସପ୍ତାହରେ ୫୧.୨୫ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମର ବର୍ତ୍ତମାନର ଗତି ଜାରି ରହିଲେ ଏହି ରେକର୍ଡ ମଧ୍ୟ ଭାଙ୍ଗିବାର ସମ୍ଭାବନା ରହିଛି।
Powered by Froala Editor