ରାଜସ୍ଥାନର ତାତିକୁ ଏମିତି ଦେଖାଇଲେ ଯବାନ, ତତଲା ବାଲିରେ ସେକିଲେ ପାମ୍ପଡ଼
ବର୍ତ୍ତମାନ ରାଜସ୍ଥାନ ବିକାନେରର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଏହି ଅସହ୍ୟ ତାତି ମଧ୍ୟରେ ବିଏସ୍ଏଫ୍ ଯବାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ବାଲିରେ ୩୫ ସେକେଣ୍ଡ ପାମ୍ପଡକୁ ଘୋଡ଼ାଇ ରଖି ବାହାର କରିବା ପରେ ପାମ୍ପଡ ପୁରା ଭାଜି ହୋଇଯାଇଛି। ଯେତେବେଳେ ସାରା ଦେଶରେ ଗ୍ରୀଷ୍ମ ଲହରୀରେ ଲୋକେ ତତଲା କଡ଼େଇରେ ଭାଜି ହେଉଛନ୍ତି ସେତିକି ବେଳେ ଭାରତ-ପାକିସ୍ତାନ ସୀମାରେ ଡ୍ୟୁଟିରେ ଥିବା ଜଣେ ବିଏସଏଫ ଯବାନ ପ୍ରମାଣିତ କରୁଛନ୍ତି ଯେ, ସ୍ଥିତି ଯେତେ ପ୍ରତିକୁଳ ହେଉନା ନା କାହିଁକି ଦେଶ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ। ତେବେ ଶୋସାଲ ମିଡିଆରେ ଖୁବ୍ ଭାଇରାଲ ହେବା ପରେ ଏହି ଭିଡିଓ ଓ ଯବାନଙ୍କୁ ଢେର ସାରା ପ୍ରଶଂସା କରାଯାଉଛି।
ଏହି ଭିଡିଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କ ଅଫିସିଆଲ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି, ‘ରାଜସ୍ଥାନର ମରୁଭୂମିର ଏହି ଭିଡିଓ ଦେଖିବା ପରେ ମୋ ମନରେ ଆମର ଯବାନମାନଙ୍କ ପ୍ରତି ଅଶେଷ ସମ୍ମାନ ଏବଂ କୃତଜ୍ଞତା ସୃଷ୍ଟି କରିଛି, ଯେଉଁମାନେ ଆମକୁ ଏପରି ଅସାଧାରଣ ପରିସ୍ଥିତିରେ ମଧ୍ୟ ସୁରକ୍ଷିତ ରଖନ୍ତି।’
ଉଲ୍ଲେଖ ଥାଉ କି ରାଜସ୍ଥାନରେ ଏବେ ପ୍ରବଳ ଉତ୍ତାପ ଜାରି ରହିଛି । ବୁଧବାର ଦିନ ପାକିସ୍ତାନ ସୀମା ନିକଟ ଜୈସଲମେର ଜିଲ୍ଲାରେ ଅବସ୍ଥିତ ବିଏସଏଫ ସୀମା ଆଉଟପୋଷ୍ଟରେ ଅପରାହ୍ନରେ ତାପମାତ୍ରା ୪୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟର ଜୁଞ୍ଜୁନୁ ଜିଲ୍ଲାର ପିଲାନିରେ ବୁଧବାର ତାପମାତ୍ରା ୪୭ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି।
Powered by Froala Editor