ଶିଶୁକନ୍ୟାଙ୍କୁ ବଞ୍ଚାଇଲେ ପଡୋଶୀ, କିନ୍ତୁ ଦାୟିତ୍ୱହୀନ ଶବ୍ଦ ଶୁଣି ଶୁଣି ଜୀବନ ହାରିଲା ମା’
ଏପ୍ରିଲ ୨୯ରେ ତାମିଲନାଡୁରେ ଏକ ଛାତି ଥରିଗଲା ଭଳି ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଏକ ଶିଶୁ କନ୍ୟା ଚତୁର୍ଥ ମହଲାରେ ଲାଖି ରହିଥିଲା । ପଡୋଶୀ ଶିଶୁକୁ ବଞ୍ଚାଇଥିଲେ । ହେଲେ ଏ ଘଟଣା ପରେ ଶିଶୁର ମା’କୁ ଦାୟିତ୍ୱହୀନ କହି ବାରମ୍ବାର ମାନସିକ ନିର୍ଯାତନା ଦିଆଯାଉଥିଲା । ପଡୋଶୀଙ୍କ ତାନା ଓ ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ମହିଳା ଜଣକ ଆତ୍ମହତ୍ୟା କରିଦେଇଛନ୍ତି ।
ସୂଚନା ମୁତାବକ, ଏପ୍ରିଲ ୨୯ରେ ଚେନ୍ନାଇରେ ଘଟିଥିବା ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଶିଶୁକନ୍ୟା ଚତୁର୍ଥ ମହଲାର ବାଲକୋନିରୁ ତଳକୁ ଝୁଲି ରହିଥିବା ଦେଖାଯାଇଥିଲା। ଲୋକେ ଶିଶୁକନ୍ୟାକୁ ବଞ୍ଚାଇବା ପାଇଁ ବେଡସିଟ୍ ଧରୁଥିବା ସହ ତଳେ ଗଦି ପକାଇଥିଲେ। ଏହି ସମୟରେ ଜଣେ ଯୁବକ ଘରର ଝରକା ପଟେ ଶିଶୁକନ୍ୟାକୁ ଟାଣି ଆଣି ତାଙ୍କ ଜୀବନ ବଞ୍ଚାଇଥିଲେ। ତାଙ୍କ ଜୀବନ ବଞ୍ଚିଯାଇଥିଲା ସତ ହେଲେ ତାଙ୍କ ମା’ ’କୁ ଲଗାତାର ଅପମାନିତ କରୁଥିବା ସହ ଦାୟିତ୍ବହୀନ ବୋଲି କହୁଥିବାରୁ ଏହାକୁ ସହିନପାରି ମହିଳା ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବା ଜଣାଯାଇଛି।
ମହିଳାଜଣକ ଅଚେତ ଅବସ୍ଥାରେ ନିଜ ଶୋଇବା ଘରେ ପଡ଼ିଥିବା ବେଳେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁହାଯାଉଛି ଯେ, କିଛି ଦିନ ହେବ ସୋସିଆଲ ମିଡିଆରେ ଟ୍ରୋଲ ହେଉଥିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି।
Powered by Froala Editor