ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ୟ୍ୟାୟରେ ମତଦାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ନିବେଦନ କରିଛନ୍ତି। ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି, ସେମାନେ ନିଶ୍ଚିତ ଭାବରେ ଭୋଟ ଦେବେ।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୋଦି ଲେଖିଛନ୍ତି, ମୁଁ ଏହି ପର୍ୟ୍ୟାୟର ସମସ୍ତ ଭୋଟରଙ୍କୁ ଭୋଟ ଦେବାକୁ ଏବଂ ଏକ ନୂତନ ଭୋଟ ରେକର୍ଡ ସୃଷ୍ଟି କରିବାକୁ ଅନୁରୋଧ କରୁଛି। ଗଣତନ୍ତ୍ରର ଏହି ପର୍ବରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ମହିଳା ଏବଂ ଯୁବ ଭୋଟରଙ୍କୁ ମୋର ଏକ ବିଶେଷ ନିବେଦନ।
ଦେଶରେ ପଞ୍ଚମ ପର୍ୟ୍ୟାୟ ନିର୍ବାଚନ ଲାଗି ଆଜି ଭୋଟିଂ ଜାରି ରହିଛି। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ, ବୁଥ ମାନଙ୍କରେ ଭିଡ ଜମିଛି । ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ଚାଲିଛି ମତଦାନ।
ଏହି ପର୍ୟ୍ୟାୟରେ ମୋଟ ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ସେମଧ୍ୟରେ ରହିଛି ବିହାରର ୫ ଆସନ, ଜମ୍ମୁ ଓ କଶ୍ମୀରର ୧, ଝାଡଖଣ୍ଡର ୩, ଲଦାଖର ୧, ମହାରାଷ୍ଟ୍ରର ୧୩, ଉତ୍ତରପ୍ରଦେଶର ୧୪ ଆସନ, ପଶ୍ଚିମବଙ୍ଗର ୭ ଆସନ ସମେତ ଓଡିଶାର ୫ ଆସନ।
ଏହି ପର୍ୟ୍ୟାୟରେ ହେଭିୱେଟଙ୍କ ମଧ୍ୟରେ ରହିଛନ୍ତି, ଉତ୍ତର ମୁମ୍ବାଇରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ ବିଜେପି ପ୍ରାର୍ଥୀ ଉଜ୍ଜଳ ନିକମ, କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି, ବିଜେପିର ରାଜନାଥ ସିଂହ, ସ୍ମୃତି ଇରାନୀଙ୍କ ଭଳି ନେତା।
Powered by Froala Editor