୧୬୦ ସ୍ପିଡ୍ରେ ଚାଲୁଥିଲା କାର୍, ଯୁବକ କରୁଥିଲେ ଇନ୍ଷ୍ଟାରେ ଲାଇଭ, ତାପରେ...
ରିଲ୍ସ ବା ଲାଇଭ୍ କରୁଥିବା ବେଳେ ଅନେକ ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଗୁଜରାଟର ଅହମଦାବାଦରେ ସେଭଳି ଘଟଣା ଘଟିଛି। ବେପରୁଆ ମନୋଭାବ ନେଇଯାଇଛି ଦୁଇ ଯୁବକଙ୍କ ଜୀବନ। ଦ୍ରୁତ ଗତିରେ ଗାଡିଟି ଅନ୍ୟ ଗାଡିକୁ ଅତିକ୍ରମ କରି ଚାଲିଥିବା ବେଳେ ହଠାତ୍ ଏକ ଗଛରେ ପିଟି ହୋଇଥିଲା। ଏଥିରେ ଘଟଣାସ୍ଥଳରେ ଅମନ ମେହବୁବାଭାଇ ଶେଖ ଏବଂ ଚିରାଗକୁମାର କେ ପଟେଲଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି। ସମସ୍ତ ମୃତକ ଓ ଆହତଙ୍କ ଘର ଅହମଦାବାଦରେ ବୋଲି ପୁଲିସ କହିଛି।
ସୂଚନା ଅନୁସାରେ, ୫ଜଣ ସାଙ୍ଗ ଗୁଜରାଟର ଅହମଦାବାଦରୁ ମୁମ୍ବାଇ ଅଭିମୁଖେ ଯାଉଥିଲେ। ବିଳମ୍ବିତ ରାତିରେ ଯାତ୍ରା କରିବା ସହ ଇନଷ୍ଟାଗ୍ରାମରେ ଲାଇଭ ଆସିଥିଲେ। ଲାଇଭ୍ ଭିଡିଓ ଦୃଶ୍ୟ ଅନୁସାରେ, ଗାଡିର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ଥିଲା। ତା ସାଙ୍ଗକୁ ଗାଡିରେ ମଧ୍ୟ ଉଚ୍ଚ ସ୍ୱରରେ ମ୍ୟୁଜିକ୍ ଲାଗିଥିଲା।
ଏହି ସମୟରେ ଦୁର୍ଘଟଣା ଘଟିବାରୁ ୨ଜଣକ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ୫ଜଣକ ବୟସ ୨୨-୨୭ଭିତରେ ହୋଇଥିବା କହିଛି ପୁଲିସ। ଦୁର୍ଘଟଣା ପୂର୍ବର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି, ଯେଉଁଥିରେ କାର୍ ଭିତରେ ବସିଥିବା ପିଲାମାନେ ଲାଇଭ୍ କରୁଥିବା ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଲାଇଭ୍ ଭିଡଓ ସାଙ୍ଗକୁ ୧୬୦ କିଲୋମିଟର ବେଗରେ ଚଲାଉଥିଲେ କାର୍।
Powered by Froala Editor