ତିହାର ଜେଲ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ
ଦିଲ୍ଲୀର ତିହାର ଜେଲ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଦିଲ୍ଲୀର ସ୍କୁଲ, ହସ୍ପିଟାଲ ଓ ଏୟାରପୋର୍ଟକୁ ଯେଉଁ ଭଳି ଇ-ମେଲ ଯୋଗେ ବୋମା ଧମକ ମିଳିଥିଲା, ସେହିଭଳି ମେଲ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖକୁ ଆସିଛି। ମଙ୍ଗଳବାର ଏକ ଇମେଲ ମାଧ୍ୟମରେ ଏହି ଧମକ ମିଳିବା ପରେ ଜେଲ ପ୍ରଶାସନ ପକ୍ଷରୁ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା। ଏହାକୁ ନେଇ ପୋଲିସ ଆଲର୍ଟରେ ରହିଛି। ଏପରିକି ଜେଲ ପରିସରରେ ଡଗ୍ ସ୍କ୍ବାର୍ଡକୁ ନେଇ ସର୍ଚ୍ଚ ଅପରେଶନ ଚଳାଉଛି। ସେହିଭଳି ଜେଲ୍କୁ ଆସୁଥିବା ଏବଂ ଯାଉଥିବା ଲୋକଙ୍କ ଉପରେ ରୋକ ଲଗାଯାଇଛି।
ତିହାର ଜେଲ୍କୁ ମିଳିଥିବା ଧମକପୂର୍ଣ୍ଣ ଇମେଲ୍ରେ ଲେଖାଯାଇଛି ଯେ, ମୁଁ ଆପଣଙ୍କ ବଙ୍ଗଳା ଭିତରେ ବୋମା ରଖିଛି। ଏସବୁ ବୋମା କିଛି ଘଣ୍ଟାରେ ବିସ୍ଫୋରଣ ହେବ। ଏହା ମାମୁଲି ଧମକ ବୋଲି ଭାବିବ ନାହିଁ। ବୋମା ନିଷ୍କ୍ରିୟ କରିବା ଲାଗି ଆପଣଙ୍କ ପାଖରେ କିଛି ଘଣ୍ଟା ରହିଛି। ନହେଲେ ଜେଲ ଭିତରେ ଥିବା ଲୋକ ପ୍ରାଣ ହରାଇବେ।
ଧମକପୂର୍ଣ୍ଣ ଇ-ମେଲ ପାଇବା ପରେ ତିହାର ଜେଲ କର୍ତ୍ତୃପକ୍ଷ ତୁରନ୍ତ ଏନେଇ ଦିଲ୍ଲୀ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଟିମ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଛାନିଭିନ ଆରମ୍ଭ କରିଥିଲେ। କିନ୍ତୁ ଏଯାଏ କୌଣସି ପ୍ରକାରର ବିସ୍ଫୋରକ ଏଠାରୁ ମିଳିନାହିଁ। ତିହାର ଜେଲରେ ଏବେ ଅନେକ ବଡ଼ବଡ଼ ଅପରାଧୀ ଓ ରାଜନେତାମାନେ ରହିଛନ୍ତି।
Powered by Froala Editor