ପୁତିନଙ୍କୁ ‘କଙ୍କଡ’ ଚଷମା ଉପହାର ଦେଲେ ବାଇଡେନ
ଜେନିଭା: ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁବାର ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁତିନଙ୍କୁ ପ୍ରଥମ ସାକ୍ଷାତବେଳେ ଦେଇଥିବା ଉପହାରକୁ ନେଇ ଖୁବ ଚର୍ଚ୍ଚା, କାରଣ କୂଟନୈତିକସ୍ତରରେ ଏପରି ଉପହାରର ଗୁରୁତ୍ୱ ଖୁବ ଅଧିକ । ଜେନିଭାଠାରେ ଅନୁଷ୍ଠିତ ପ୍ରଥମ ଶିଖର ସମ୍ମିଳନୀକୁ ବିଶେଷ କିଛି ସୁଫଳ ମିଳିନଥିଲେ ମଧ୍ୟ ସୌକୀନ ପୁତିନଙ୍କୁ ଖୁସି କରିବା ପାଇଁ ବାଇଡେନ ତାଙ୍କୁ ସ୍ୱଦେଶ ନିର୍ମିତ ‘କଙ୍କଡ’ ଚଷମା ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ସର୍ବନିମ୍ନ ୨୭୯ ଡଲାର । ଉକ୍ତ ଚଷମା ‘ରାନଡଲଫ ଇଞ୍ଜିନିୟରିଂ’ ଦ୍ୱାରା ନିର୍ମିତ । ଏହାକୁ ଆମେରିକୀୟ ସେନା ବ୍ୟବହାର କରିଥାଏ । ସେନା ମାସକୁ ପ୍ରାୟ ୨୫,୦୦୦ ଚଷମା ଖରିଦ କରେ । ଏହି ଚଷମା ଯୋଗାଇବା ପାଇଁ ୧୯୭୮ ରୁ କମ୍ପାନୀ ଆମେରିକା ପ୍ରତିରକ୍ଷା ବିଭାଗ ସହିତ ଚୁକ୍ତିବଦ୍ଧ । ଏତଦବ୍ୟତୀତ ସାଧାରଣ ଜନତାଙ୍କ ପାଇଁ କମ୍ପାନୀ ‘ଆଭିଏଟର୍ସ ସନଗ୍ଲାସେସ’ ଉପଲବ୍ଧ କରାଇଥାଏ । କମ୍ପାନୀର ମୁଖ୍ୟ ପିଟର ୱାକଜିୱିକ୍ସ ଉଲ୍ଲସିତ ହୋଇ ଉଠିଛନ୍ତି । ତାଙ୍କ ସୂଚନା ଅନୁସାରେ ପୁତିନଙ୍କୁ ପ୍ରଦତ୍ତ ମଡେଲ ବା ଶୈଳୀରେ ଗୋଟିଏ ଚଷମା ତିଆରି ପାଇଁ କମ୍ପାନୀକୁ ପ୍ରାୟ ୬ ସପ୍ତାହ ଲାଗିଥାଏ । ପ୍ରାୟ ଦୁଇ ଶହ ପର୍ଯ୍ୟାୟ ଦେଇ ଏହାର ପ୍ରସ୍ତୁତି ହୋଇଥାଏ । ଆମେରିକାର ସୁପରସୋନିକ ବିମାନ କଙ୍କଡ ଅନୁସାରେ ଏହି ଚଷମାର ନାମକରଣ କରାଯାଇଛି ।
Powered by Froala Editor