ଷ୍ଟାଫ୍ କ୍ୱାର୍ଟର ପାଣି ଟାଙ୍କିରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଗ୍ରେଟର ନୋଏଡାର ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟର ଷ୍ଟାଫ୍ କ୍ୱାର୍ଟରରେ ଥିବା ଏକ ପାଣି ଟାଙ୍କିରୁ ଜଣେ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ମହିଳା ଜଣକ ସେଠାରେ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ସହ ରହୁଥିଲେ। ସ୍ୱାମୀ ଓ ଶାଶୁ ତାଙ୍କୁ ହତ୍ୟା କରି ପାଣି ଟାଙ୍କିରେ ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରୁଛି। ମୃତ ମହିଳାଙ୍କ ସ୍ୱାମୀ ଓ ଶାଶୁ ଫେରାର୍ ହୋଇଯାଇଥିବାରୁ ପୁଲିସ ଏଭଳି ସନ୍ଦେହ କରୁଛି।
ପଡ଼ୋଶୀଙ୍କ କହିବା ଅନୁଯାୟୀ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ରବିବାର ରାତିରେ ଏହି ଦମ୍ପତିଙ୍କ ମଧ୍ୟରେ ବିବାଦ ହୋଇଥିଲା। ସନ୍ଦେହ କରାଯାଉଛି ଯେ ପୁରୁଣ ଜଣକ ମଦ୍ୟପାନ କରିଥିବାରୁ ଝଗଡ଼ା ଆହୁରି ଅଧିକ ବଢ଼ି ଯାଇଥିଲା। ବିବାଦ ପରେ ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରି ତାଙ୍କ ମାଆଙ୍କ ସହ ପଳାଇଥିବା ପୁଲିସ ସନ୍ଦେହ କରୁଛି। ସେମାନଙ୍କୁ ଖୋଜିବା ପାଇଁ ବର୍ତ୍ତମାନ ଏକ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ମହିଳାଙ୍କ ପରିବାର ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ ହୋଇଛି।
Powered by Froala Editor