ତୃତୀୟ ଲହର: ଶିଶୁଙ୍କଠାରେ ସଂକ୍ରମଣ ହାର କମ୍ ରହିବ
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଓଡ଼ିଶା ରାଜଧାନୀ ଭୁବନେଶ୍ୱର ସଂଲଗ୍ନ ଗ୍ରାମାଞ୍ଚଳରେ ୧୮ ବର୍ଷରୁ କମ ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ କରୋନାର ଡେଲଟା ପ୍ରକରଣ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ବୟସ୍କଙ୍କ ଠାରେ ଏହି ଅନୁପାତ ପ୍ରତି ଦୁଇ ଜଣରେ ଜଣେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହାୟତାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମସ) ଭୁବନେଶ୍ୱର ପକ୍ଷରୁ କରାଯାଇଥିବା ସେରୋସର୍ଭେରୁ ଏହି ତଥ୍ୟ ଉପଲବ୍ଧ ହୋଇଛି । ଏହି ସର୍ଭେରେ ମୋଟ ୧୬୫ ପିଲାଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫ ଜଣ ସେରୋ ପଜିଟିଭ ଥିବା ଜଣାପଡ଼ିଛି । ଅର୍ଥାତ ୨ ରୁ ୧୭ ବର୍ଷ ମଧ୍ୟସ୍ଥ ୪୫.୪ ପ୍ରତିଶତ ପିଲାଙ୍କ ଠାରେ ଡେଲଟା ଭୂତାଣୁ ପ୍ରତିହତକାରୀ ଆଣ୍ଟିବଡ଼ି ବିକଶିତ ହୋଇଛି । ସେହିପରି ୧୮ ବର୍ଷରୁ ଅଧିକ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ୫୪ ପ୍ରତିଶତ ବା ୮୩୫ ମଧ୍ୟରୁ ୪୫୧ ଙ୍କଠାରେ ସେରୋ ପଜିଟିଭ ଠାବ ହୋଇଛି । ପ୍ରାପ୍ତ ବୟସ୍କଙ୍କ ଅପେକ୍ଷା ପିଲାଙ୍କଠାରେ ସେରୋ ପଜିଟିଭ ହାର କମ ରହିଥିବା ଏଥିରୁ ଲକ୍ଷ୍ୟ କରାଯାଇଛି । ମାର୍ଚ୍ଚ ୨୨ ରୁ ମେ ୭ ମଧ୍ୟରେ କରାଯାଇଥିବା ସେରୋସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶାକୁ ଯଦି କରୋନାର ତୃତୀୟ ଲହର ଆସେ ତାହା ହେଲେ ଶିଶୁଙ୍କଠାରେ ସଂକ୍ରମଣ ହାର କମ୍ ରହିବ ବୋଲି ଏଥିରୁ ଆଶା କରାଯାଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।
Powered by Froala Editor