୧୮ ଘଣ୍ଟାର ତଲାସୀ ପରେ କାର୍ର ଗୁଇନ୍ଦା ଚାମ୍ବରରୁ ଜବତ ହେଲା ୪୩ କିଲୋ ସୁନା
ମଣିପୁରର ଇମ୍ଫାଲ୍ରେ ଏକ କାର୍ ଭିତରୁ ୪୩ କିଲୋରୁ ଅଧିକ ସୁନା ବିସ୍କୁଟ୍ ଜବତ କରାଯାଇଛି । ‘ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସ୍’ର ଗୁଇନ୍ଦାମାନେ ଦୀର୍ଘ ୧୮ ଘଣ୍ଟାର ତଲାସ ଅଭିଯାନ ଚଳାଇ ସୁନା ବିସ୍କୁଟ୍ ଜବତ କରିଛନ୍ତି। ଏହାର ମୂଲ୍ୟ ୨୧ କୋଟି ଟଙ୍କା ହେବ । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ବିଶେଷ ସୂତ୍ରରୁ ଖବର ପାଇ, ମଙ୍ଗଳବାର ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ୍ ବା ରାଜସ୍ୱ ଗୁପ୍ତଚର ବିଭାଗର ଅଧିକାରୀମାନେ ଗୋଟିଏ କାର୍କୁ ଅଟକାଇ ଥିଲେ । ସେମାନଙ୍କୁ ପଚରାଉଚୁରା କରାଯାଇ କାର୍ଟିକୁ ତନ୍ନତନ୍ନ କରି ତଲାସ କରିବା ପରେ ସୁନା ବିସ୍କୁଟ୍ଗୁଡ଼ିକୁ ଜବତ କରାଯାଇଥିଲା। ଉକ୍ତ ସୁନା ବିସ୍କୁଟ୍ଗୁଡ଼ିକୁ ଲୁଚାଇ ରଖିବା ନିମନ୍ତେ କାର୍ରେ ସ୍ବତନ୍ତ୍ର ଭାବେ ତିନୋଟି ଗହ୍ବର କରାଯାଇଥିଲା ବୋଲି ଗୁଇନ୍ଦା ଅଧିକାରୀମାନେ କହିଛନ୍ତି। ସେହି ଗୁପ୍ତ ଚେମ୍ବରରୁ ୨୬୦ଟି ସୁନା ବିସ୍କୁଟ୍ ପାଇବାକୁ ପ୍ରାୟ ୧୮ ଘଣ୍ଟା ଲାଗିଥିଲା। ପୂର୍ବରୁ ମଧ୍ୟ ଉକ୍ତ କାର୍ଟି ଚୋରା କାରବାରରେ ବ୍ୟବହୃତ ହେଉଥିଲା।
ମିଆଁମାର୍ ସୀମାନ୍ତକୁ ଲାଗିଥିବା ମଣିପୁରରେ ସୁନା ଚୋରାଚାଲାଣ ଅବ୍ୟାହତ ରହିଛି। ଗତ ତିନି ମାସ ମଧ୍ୟରେ ମିଆଁମାର୍ ସେକ୍ଟର୍ର ଗୌହାଟି ଜୋନାଲ୍ ୟୁନିଟ୍ରୁ ୩୩ କୋଟି ଟଙ୍କା ମୂଲ୍ୟର ପ୍ରାୟ ୬୬ କିଲୋ ସୁନା ଜବତ କରାଯାଇସାରିଲାଣି।
Powered by Froala Editor