ଆଜମ ଖାନଙ୍କୁ ୭ ବର୍ଷ ଜେଲ, ୫ ଲକ୍ଷ ଟଙ୍କା ଜୋରିମାନା
୨୦୧୬ ମସିହା ଡୁଙ୍ଗାରପୁର ମାମଲାରେ ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟ ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଆଜାମ ଖାନଙ୍କ ବ୍ୟତୀତ ଏହି ମାମଲାରେ ଆଉ ୩ ଜଣଙ୍କୁ ୫ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଛି। ସେମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ ଆଜମ ଖାନଙ୍କୁ ଆଇପିସି ଧାରା ୪୨୭, ୫୦୪, ୫୦୬, ୪୪୭ ଏବଂ ୧୨୦ ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଆଜମ ଖାନ, ପୂର୍ବତନ ପୌର ଅଧ୍ୟକ୍ଷ ଆଝାର ଅହମ୍ମଦ ଖାଁ, ଠିକାଦାର ବରକତ ଅଲ୍ଲୀ ଏବଂ ଅବସରପ୍ରାପ୍ତ ସିଓ ଆଲେ ହାସନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜମ ଖାଁ ସୀତାପୁର ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ।
୨୦୧୬ରେ ଡୁଙ୍ଗାରପୁରରେ ଥିବା ଗୋଟିଏ ଘରକୁ ବଳ ପୂର୍ବରୁ ଆଜାମ ଖାନ ଆଣ୍ଡ କୋ ଭାଙ୍ଗି ଦେବା ସହ ଲୁଟ ପାଟ କରିଥିବା ଅଭିଯୋଗ ହୋଇଥିଲା। ୨୦୧୯ରେ ଉତ୍ତର ପ୍ରଦେଶର ବିଜେପି ସରକାର ୨୦୧୬ରେ ଘଟିଥିବା ଘଟଣା ପାଇଁ ମାମଲା କରିଥିଲେ।
ଆଜାମ ଖାନଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟମାନଙ୍କ ନାଁରେ ନିୟମ ନ ମାନି ଘରେ ପଶିବା, ମାଡ଼ ମାରିବା, ଧମକାଇବା ଓ ଲୁଟପାଟ ଭଳି ମାମଲା ହୋଇଥିଲା।
Powered by Froala Editor