ଗ୍ୟାଙ୍ଗଷ୍ଟର ଧରିଲା ବନ୍ଧୁକ ରାଣୀର ହାତ

ଗ୍ୟାଙ୍ଗଷ୍ଟର କାଲା ଜାଠେଡ଼ି ଓରଫ ସନ୍ଦୀପ ନିଜ ଦୀର୍ଘଦିନର ବାନ୍ଧବୀ ଅନୁରାଧା ଚୌଧୁରୀଙ୍କୁ ଦିଲ୍ଲୀର ଦ୍ୱାରକା ସେକ୍ଟର-୩ ନିକଟସ୍ଥ ସନ୍ତୋଷ ଗାର୍ଡେନଠାରେ ବିବାହ କରିଛନ୍ତି। ବାହା ହେବା ପାଇଁ ୬ ଘଣ୍ଟା ଜେଲରୁ ମୁକ୍ତି ପାଇଥିବା କାଲା ବନ୍ଧୁକ ରାଣୀ ଭାବେ ପରିଚିତ ଅନୁରାଧା ଓରଫ ମ୍ୟାଡମ ମିଞ୍ଜଙ୍କର ହାତ ଧରିଛନ୍ତି। ପୁଲିସ୍ ଓ କଡ଼ା ସୁରକ୍ଷାବଳୟ ମଧ୍ୟରେ କାଲା ଓ ମିଞ୍ଜଙ୍କ ବାହାଘର ଦିଲ୍ଲୀର ଦ୍ୱାରକାରେ ଶେଷ ହୋଇଛି।
ତେବେ ଏହି ଚର୍ଚ୍ଚିତ ଯୋଡ଼ିଙ୍କ ବିବାହ ପାଇଁ କାର୍ଯ୍ୟକ୍ରମ ସ୍ଥଳରେ ଦିଲ୍ଲୀ ପୁଲିସ୍ ପକ୍ଷରୁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିବାହ ଉତ୍ସବର ସୁରକ୍ଷାରେ ୟୁନିଫର୍ମ ଏବଂ ସାଦା ପୋଷାକରେ ୨୫୦ ପୁଲିସ୍ ଅଧିକାରୀ ନିୟୋଜିତ ହୋଇଥିଲେ। ଉତ୍ସବରେ ଅତିଥିଙ୍କ ପରିଚୟପତ୍ର ଯାଞ୍ଚ କରାଯାଇ ସେମାନଙ୍କୁ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁମତି ଦିଆଯାଉଥିଲା। ବିବାହରେ ୭୦ରୁ ୮୦ ଅତିଥି ଯୋଗଦେଇଥିଲେ।
ବାହାଘର ବେଳେ ଗ୍ୟାଙ୍ଗୱାର ଓ କାଲା ଖସିଯିବା ଆଶଙ୍କା ଥିବାରୁ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କାଲାଙ୍କ ବରଯାତ୍ରୀରେ ପ୍ରିୟଜନଙ୍କ ବ୍ୟତୀତ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ, ସ୍ପେଶାଲ ଷ୍ଟାଫ ଓ କ୍ରାଇମବ୍ରାଞ୍ଚର କର୍ମଚାରୀମାନେ ସାମିଲ ହୋଇଥିଲେ।
Powered by Froala Editor