ଶେଷ ହେଲା ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର: ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ସହ ୯ଦିନ ଧରି ଚାଲିଥିବା ଖଣ୍ଡଗିରି କୁମ୍ଭମେଳା ଶନିବାର ଶେଷ ହୋଇଛି। ବିଦାୟ ନେଇଛନ୍ତି ସାଧୁସନ୍ଥ। କାହିଁ କେଉଁ କାଳରୁ ମାଘ ସପ୍ତମୀଠାରୁ ପୂର୍ଣ୍ଣିମା ପର୍ୟ୍ୟନ୍ତ ଏପରି ମହାଯଜ୍ଞ ଅନନ୍ତ ଗୁମ୍ଫା ସମ୍ମୁଖରେ ଆୟୋଜିତ ହୋଇଆସୁଛି। ମହାଯଜ୍ଞର ସ୍ବତନ୍ତ୍ର ମହତ୍ୱ ରହିଥିବାରୁଶେଷ ଦିନରେ ଝିପି ଝିପି ବର୍ଷା, କୋହଲା ପାଗ ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ସେହିପରି ମା ବାରଭୁଜା ପୀଠରେ ଚାଲିଥିବା ରାମ ଚରିତ ମାନସ ପାଠ କାର୍ୟ୍ୟକ୍ରମ ମଧ୍ୟ ଭକ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥିଲା। ତପଭୂମି ଖଣ୍ଡଗିରିରେ ଥିବା ୧୦ରୁ ଅଧିକ ଆଶ୍ରମରେ ଚାଲିଥିବା ନବଦିନାତ୍ମକ ସଂକୀର୍ତ୍ତନ, ଭଜନ ସମାରୋହ ଆଦି କାର୍ୟ୍ୟକ୍ରମ ମଧ୍ୟ ସମାପନ ହୋଇଛି। ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଆନୁକୂଲ୍ୟରେ ଖଣ୍ଡଗିରିଠାରେ ପୂର୍ଣ୍ଣାହୁତି ସହ ଉଦଯାପନ ସହିତ ୫୧୨୫ତମ ପୂର୍ତ୍ତି ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ୨୦୦ତମ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା । ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘ, ଓଡ଼ିଶା ସଂକୀର୍ତ୍ତନ କଳାକାରମାନଙ୍କ ଦ୍ବାରା ସଂକୀର୍ତ୍ତନ ପରିବେଷଣ ହୋଇଥିଲା। ମହାସଂଘର ସଭାପତି ବିଷ୍ଣୁଚରଣ ମହାନ୍ତି, ସମ୍ପାଦକ ସଞ୍ଜୟ ଦାସ, ଆବାହକ ପଞ୍ଚଦେବ ଚଳିତ ବର୍ଷର ମେଳାରେ ସହଯୋଗ କରିଥିବା ଅନୁଷ୍ଠାନ ଓ ବିଏମସି, ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଶନିବାର ହୋଇଥିବାରୁ ଲୋକଙ୍କ ଗହଳି ଖଣ୍ଡଗିରିରେ ଦେଖିବାକୁ ମିଳିଥିଲା। ଏଥିସହ କୁମ୍ଭମେଳାର ଶେଷ ଦିନ ହୋଇଥିବାରୁ ସକାଳରୁ ରାତି ତମାମ ଲୋକଙ୍କ ଭିଡ଼ ଜମିଥିଲା। ବିଭିନ୍ନ ସୁସ୍ବାଦୁ ଖାଦ୍ୟର ମଜା ନେବା ସହ ଆଲୋକ ମାଳାରେ ଝଲସି ଉଠୁଥିବା ଖଣ୍ଡଗିରିରେ ମେଳା ଓ ଯାତ୍ରାର ମଜା ନେଉଛନ୍ତି ଦର୍ଶକ।
Powered by Froala Editor