କରୋନାରେ ହାରିଗଲେ ନିର୍ମଲା କୌର, ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିଲେନି ମିଲ୍ଖା ସିଂହ
ଭାରତୀୟ ଧାବକ ମିଲ୍ଖା ସିଂହ କରୋନା ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କ ପତ୍ନୀ ନିର୍ମଳା କୌର୍ କରୋନାରେ ପ୍ରାଣ ହରାଇଛନ୍ତି । ଦୀର୍ଘ ୩ ସପ୍ତାହ ଧରି କରୋନା ସହ ଲଢ଼ିବା ପରେ ୮୫ ବର୍ଷୀୟା ନିର୍ମଲାଙ୍କର ପରଲୋକ ହୋଇଛି। ସ୍ବାମୀ ମିଲ୍ଖା ସିଂହ ହସ୍ପିଟାଲରେ ଥିବାରୁ ତାଙ୍କର ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିଲେ ନାହିଁ।
ନିର୍ମଲା କୌର ପଞ୍ଜାବ ସରକାରରେ ଖେଳ ନିର୍ଦେଶକ (ମହିଳା) ଏବଂ ଭାରତୀୟ ମହିଳା ରାଷ୍ଟ୍ରୀୟ ଭଲିବଲ୍ ଟିମ୍ର ପୂର୍ବତନ ଅଧିନାୟକ ଥିଲେ। ନିର୍ମଳା କରୋନା ପଜିଟିଭ୍ ହେବା ପରେ କିଛିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହୋଇଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅକ୍ସିଜେନ୍ ସ୍ତର ହ୍ରାସ ପାଇବା ପରେ ତାଙ୍କୁ ଏଚ୍ଏଫ୍ଏନ୍ସି(ହାଇଫ୍ଲୋ ନାସାଲ୍ କାନୁଲା) ଏବଂ ଏନ୍ଆଇଭି(ନନ୍- ଇନ୍ଭାସିଭ ଭେଣ୍ଟିଲେଟର)ରେ ରଖାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ କୌଣସି ଉନ୍ନତୀ ପରିଲଖିତ ହୋଇନଥିଲା।
ଅନ୍ୟପଟେ ୯୧ ବର୍ଷିୟ ମିଲ୍ଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି। ସେ ଏବେ ବି ଆଇସିୟୁରେ ଅଛନ୍ତି। ତେବେ ନିର୍ମଳାଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା। ଅପରାହ୍ନ ୪ଟା ବେଳେ ତାଙ୍କର ବିୟୋଗ ହୋଇଛି ବୋଲି କୁହାଯାଇଥିଲା।
Powered by Froala Editor