ସରପଞ୍ଚଙ୍କ ନାକ ଭିତରେ ଭାଙ୍ଗିଗଲା ‘ସ୍ବାବ୍’ କାଠି
କରୋନା ଟେଷ୍ଟ ବେଳେ ତେଲେଙ୍ଗାନା ଅନ୍ତର୍ଗତ କରିମନଗର ଜିଲ୍ଲାର ଏକ ଗାଁରେ ଘଟିଛି ଅଘଟଣ । ‘ସ୍ବାବ୍ ଷ୍ଟିକ୍’ ଗାଁ ସରପଞ୍ଚଙ୍କ ନାକ ଭିତରେ ଲାଖି ଯାଇଥିଲା । ଫଳରେ ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ।
ଘଟଣାଟି ଗତ ଶୁକ୍ରବାର ଦିନ ଘଟିଥିଲା । କରିମନଗର ଜିଲ୍ଲାର ରାମଡୁଗୁ ମଣ୍ଡଳ ଅନ୍ତର୍ଗତ ଭେଙ୍କଟରୋପଲ୍ଲୀ ଗାଁରେ ସରପଞ୍ଚ ଯୁବାଜି ଶେକର ତାଙ୍କ ଗାଁରେ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ନିମନ୍ତେ ‘ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍’ (ଆର୍ଏଟି) ବନ୍ଦୋବସ୍ତ କରାଇ ପ୍ରଥମେ ନିଜେ ନମୁନା ଦେବେ ବୋଲି ସ୍ଥିର କରିଥିଲେ।
ସ୍ଥାନୀୟ ଗୋପାଳରାଓପେଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଦ୍ବାରା ଏହି କୋଭିଡ୍ ପରୀକ୍ଷା କରାଯାଉଥିଲା। ନାସିକାରୁ ନମୁନା ସଂଗ୍ରହ କରିବା ବେଳେ ‘ସ୍ବାବ୍ ଷ୍ଟିକ୍’ଟି ଶେକରଙ୍କ ନାକ ଭିତରେ ଭାଙ୍ଗି ରହିଗଲା। ସ୍ଥାନୀୟ ନର୍ସ ଓ ଡାକ୍ତରମାନେ ଭଙ୍ଗା ‘ସ୍ବାବ୍ ଷ୍ଟିକ୍’ଖଣ୍ଡିକ କାଢ଼ି ପାରିଲେ ନାହିଁ। ସରପଞ୍ଚଙ୍କୁ ତୁରନ୍ତ କରିମନଗରସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ନିଆଗଲା। ସେଠାରେ ଏଣ୍ଡୋସ୍କୋପି ମାଧ୍ୟମରେ ତାଙ୍କ ନାସିକା ଭିତରେ ଲାଖିଥିବା ଭଙ୍ଗା ‘ସ୍ବାବ୍ ଷ୍ଟିକ୍’ଟିକୁ ବାହାର କରାଯାଇଥିଲା । ଏ ଦୁର୍ଘଟଣା ପରେ ସରପଞ୍ଚ ଅନଭିଜ୍ଞ ଡାକ୍ତରମାନଙ୍କୁ ଦାୟୀ କରିଛନ୍ତି ।
Powered by Froala Editor