ତାମିଲନାଡ଼ୁରେ ୨୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍, ଖୋଲିବ ସେଲୁନ୍, ପାର୍କ ଓ ମଦ ଦୋକାନ

ଚେନ୍ନାଇ: କରୋନା ସଂକ୍ରମଣ ସାମାନ୍ୟ କମିଛି । ହେଲେ ପୂରା ନିୟନ୍ତ୍ରଣକୁ ଆସିନି । ତେଣୁ ଏବେ ଲକଡାଉନ୍ କୋହଳ କରାଯିବା ଉଚିତ୍ ହେବନି । ଜୁନ୍ ୨୧ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଗଲା । ଏଭଳି ଘୋଷଣା କରିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ । ତେବେ ଏହି ସମୟ ମଧ୍ୟରେ କିଛି କଟକଣା କୋହଳ କରିଛନ୍ତି ।
ଷ୍ଟାଲିନ୍ କହିଛନ୍ତି, ଆମକୁ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ । ତେଣୁ କିଛି ସେଲୁନ୍, ପାର୍କ ଓ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ୩୫ ଦିନ ପରେ ଜୁନ୍ ୧୪ରୁ ଏସବୁ ଖୋଲିବ । ଚେନ୍ନାଇ ସମେତ ୨୭ଟି ଜିଲ୍ଲାରେ ସେଲୁନ୍, ବିୟୁଟି ପାର୍ଲର ଏବଂ ସ୍ପା ବିନା ଏସିରେ ସକାଳ ୬ଟାରୁ ୫ଟା ପର୍ଯ୍ୟନ୍ତ ଚାଲିପାରିବ । ତେବେ ୫୦ ପ୍ରତିଶତ ଗ୍ରାହକଙ୍କୁ ଅନୁମତି ଦିଆଯିବ ।
ଏଥିସହ ଲୋକଙ୍କୁ କୋଭିଡ୍-୧୯ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାମିଲନାଡ଼ୁ ସରକାର ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ କୋଏମ୍ବାଟୁର ଏବଂ ନୀଳଗିରି ସମେତ ୧୧ଟି ଜିଲ୍ଲାରେ କୋଭିଡ୍-୧୯ ସଂକ୍ରମଣ ଅପେକ୍ଷାକୃତ ଅଧିକ ଯୋଗୁଁ ସେଠାରେ କମ୍ କୋହଳ କରାଯିବ । ଅବଶିଷ୍ଟ ୨୭ଟି ଜିଲ୍ଲାରେ ଅଧିକ କୋହଳ ପ୍ରଦାନ କରାଯିବ । ଏହି ନିର୍ଦ୍ଦେଶ ଜୁନ୍ ୧୪ରୁ କାର୍ଯ୍ୟକାରୀ ହେବ । ସିନେମା ଏବଂ ବସ୍ ସେବା ଉପରେ ଜୁନ୍ ୨୧ ପର୍ଯ୍ୟନ୍ତ ପ୍ରତିବନ୍ଧକ ରହିବ । ଚେନ୍ନାଇ ସମେତ ୨୭ ଜିଲ୍ଲାର ୩୩ ପ୍ରତିଶତ କର୍ମଚାରୀଙ୍କ ସହ ଶିଳ୍ପସଂସ୍ଥା କାର୍ଯ୍ୟ ଜାରି ରହିବ ।
ସେହିଭଳି କୃଷି ଉପକରଣ, ପମ୍ପ୍ ସେଟ୍ ଏବଂ ଆନୁଷଙ୍ଗୀକ ଯନ୍ତ୍ରପାତି ମରାମତି କରୁଥିବା ଦୋକାନଗୁଡିକ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ କାମ କରିପାରିବେ । ମିକ୍ସର୍, ଗ୍ରାଇଣ୍ଡର୍, ଟେଲିଭିଜନ୍ ସେଟ୍ ଏବଂ ଅନ୍ୟାନ୍ୟ ଘରୋଇ ଉପକରଣ ମରାମତି କରୁଥିବା ଦୋକାନଗୁଡିକ ସକାଳ ୯ଟାରୁ ୨ଟା ପର୍ଯ୍ୟନ୍ତ କାମ କରିପାରିବ । ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ । ଶିକ୍ଷକମାନେ ପୂର୍ବଭଳି ଅନଲାଇନରେ କ୍ଲାସ୍ କରିବେ । ତେବେ ନାମଲେଖା ପ୍ରକ୍ରିୟା ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
Powered by Froala Editor