ଦିନରେ ୩୦ ମିନିଟ୍ କମାନ୍ତୁ ସୋସିଆଲ ମିଡିଆ ବ୍ୟବହାର, ମାନସିକ ସ୍ଵାସ୍ଥ୍ୟରେ ଆସିବ ସୁଧାର
ଯୁବପିଢ଼ି ସୋସିଆଲ ମିଡିଆ ନିଶାରେ ପାଗଳ । ସେମାନେ ନିଜର ମୂଲ୍ୟବାନ ସମୟକୁ ଭିଡିଓ-ରିଲ୍ ଆଦି ଦେଖି ନଷ୍ଟ କରିଦେଉଛନ୍ତି । କିଛି ଲୋକଙ୍କୁ ସୋସିଆଲ ମିଡିଆ ନିଶା ଏମିତି ଘାରିଛି ଯେ ମୋବାଇଲ ବିନା ସେମାନେ ଗାଧୁଆ ଘରକୁ ମଧ୍ୟ ଯାଉନାହାନ୍ତି । ଏଥିପାଇଁ ଏଣିକି ଲୋକଙ୍କ ପାଖରେ ଅନ୍ୟ ପାଇଁ ତ ଦୂରର କଥା ନିଜ କାମ ପାଇଁ ମଧ୍ୟ ପର୍ୟ୍ୟାପ୍ତ ସମୟ ନାହିଁ । ଅନ୍ଲାଇନ୍ ପ୍ଲାଟ୍ଫର୍ମ ଷ୍ଟାଟିଷ୍ଟାର ଅଧ୍ୟୟନ ଅନୁସାରେ, ଅକ୍ଟୋବର-୨୦୨୩ ପର୍ୟ୍ୟନ୍ତ ବିଶ୍ୱରେ ୩୦୩ କୋଟି ୟୁଜର୍ ଫେସ୍ବୁକ୍, ୨୪୯ କୋଟି ୟୁଜର୍ ୟୁଟ୍ୟୁବ୍, ୨୦୦ କୋଟି ୟୁଜର୍ ହ୍ୱାଟ୍ସଆପ୍, ୨୦୦ କୋଟି ଇନ୍ଷ୍ଟାଗ୍ରାମ୍, ଭି-ଚାଟ୍ ୧୩୩ କୋଟି ୟୁଜର୍, ଫେସ୍ବୁକ୍ ମେସେଞ୍ଜର୍ ୧୦୪ କୋଟି, ଟେଲିଗ୍ରାମ୍ ୮୦ କୋଟି, ସ୍ନାପ୍ଚାଟ୍ ୭୫ କୋଟି ଏବଂ ୬୭ କୋଟି ୟୁଜର୍ ଏକ୍ସରେ ସର୍ବାଧିକ ସକ୍ରିୟ ରହିଥିଲେ ।
ରୁହର ୟୁନିଭର୍ସିଟି ବୋଚୁମ୍ ଓ ଜର୍ମାନ ସେଣ୍ଟର୍ ଫର୍ ମେଣ୍ଟାଲ୍ ହେଲ୍ଥର ଗବେଷକମାନେ ଜାଣିବାକୁ ପାଇଛନ୍ତି, ସୋସିଆଲ ମିଡିଆରୁ ଦୂରରେ ରହିବା ଦ୍ୱାରା ଲୋକଙ୍କୁ ନିଜ କାମ କରିବାକୁ ଅଧିକ ସମୟ ମିଳୁଛି । ଅଧ୍ୟୟନରୁ ଜଣାପଡ଼ିଲା, ଦିନରେ ୩୦ ମିନିଟ୍ କମ୍ ସୋସିଆଲ ମିଡିଆ ବ୍ୟବହାର ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଓ ଚାକିରିରେ ମିଳୁଥିବା ଆତ୍ମସନ୍ତୋଷରେ ସୁଧାର ହେଉଛି । କିନ୍ତୁ ଲଗାତାର ସୋସିଆଲ ମିଡିଆ ବ୍ୟବହାର କରୁଥିବା ୟୁଜର୍ଙ୍କ ପାଇଁ କାମରେ ଧ୍ୟାନ କେନ୍ଦ୍ରିତ କରିବା ମୁସ୍କିଲ ହେଉଛି ।
ଅଧ୍ୟୟନରୁ ଜଣାପଡ଼ିଲା, ସୋସିଆଲ ମିଡିଆ କମ୍ ବ୍ୟବହାର ଦ୍ୱାରା ଲୋକେ କାମ ବୋଝ କମ୍ ଅନୁଭବ କଲେ । ଏଥିସହ ହଜିଯିବାର ଭୟ, ଯାହାକୁ ଫୋମୋ ଅର୍ଥାତ୍ ‘ଫିୟର୍ ଅଫ୍ ମିସିଙ୍ଗ୍ ଆଉଟ୍’ କମ୍ ଅନୁଭବ କଲେ । ଏକ ରିପୋର୍ଟ ଅନୁସାରେ, ବିଶ୍ୱରେ ପ୍ରାୟ ୫୧୯ କୋଟି ଲୋକ ସୋସିଆଲ ମିଡିଆ ଉପଯୋଗ କରୁଛନ୍ତି । କିଶୋରାବସ୍ଥା ସମେତ ପ୍ରାୟ ୬୦ ପ୍ରତିଶତ ଯୁବା ଏଥିରେ ସକ୍ରିୟ ଅଛନ୍ତି । ଏହା ଜୀବନର ଅଭିନ୍ନ ଅଂଶ ହେବାରେ ଲାଗିଛି । କିନ୍ତୁ ଏହା ନିଶାରେ ରୂପାନ୍ତରିତ ହେବା ଉଚିତ୍ ନୁହେଁ ।
Powered by Froala Editor