ହିମାଚଳ ପ୍ରଦେଶରେ କୋହଳ ହେଲା କଟକଣା, ୧୪ରୁ ଲାଗୁ ହେବ
ଶିମଲା: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ହିମାଚଳ ପ୍ରଦେଶରେ କଟକଣାକୁ କୋହଳ କରାଯାଇଛି । ଆସନ୍ତା ୧୪ ତାରିଖରୁ ନୂଆ ନିୟମ ଲାଗୁ କରାଯିବ ।
ନୂଆ ଗାଇଡଲାଇନ୍ ଅନୁଯାୟୀ, ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ହିମାଚଳ ପ୍ରଦେଶ ସରକାର ଅନୁମତି ଦେଇଛନ୍ତି । ତେବେ ଏହି ସମୟରେ କୋଭିଡ୍-୧୯ ଗାଇଡଲାଇନ୍ ମାନିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କିଣାବିକା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ତେବେ ପୂର୍ବଭଳି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ଲାଗୁ କରାଯିବ ।
ଯେଉଁ ସବୁ ଅଫିସରେ ୭୫ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ରହିଛନ୍ତି, ସେଗୁଡ଼ିକ କେବଳ ୫୦% ଲୋକଙ୍କୁ ନେଇ ଚାଲିପାରିବ । ଜୁନ୍ ୨୩ରୁ ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜ, ଆୟୁର୍ବେଦିକ କଲେଜ ଓ ଡେଣ୍ଟାଲ କଲେଜ ଖୋଲିବ ।
ରାଜ୍ୟ ସରକାର ବସ ଚଳାଚଳକୁ ଅନୁମତି ଦେଇଛନ୍ତି । ହେଲେ ବସ୍ଗୁଡ଼ିକ ନିଜ କ୍ଷମତାର ୫୦% ଲୋକଙ୍କୁ ନେଇ ସେବା ଆରମ୍ଭ କରିପାରିବେ । ଫାର୍ମାସୀ ଓ ନର୍ସିଂ ସ୍କୁଲଗୁଡ଼ିକ ଜୁନ୍ ୨୮ରୁ ଖୋଲିବ ।
ସେହିପରି ରାଜ୍ୟରେ ପ୍ରବେଶ ପାଇଁ କୌଣସି ପ୍ରକାରର ଆରିଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ଦରକାର ନାହିଁ । ପୂର୍ବରୁ ଟେଷ୍ଟ ରିପୋର୍ଟକୁ ସରକାର ବାଧ୍ୟତାମୂଳକ କରିଥିଲେ । ରାଜ୍ୟରେ ୧୪୪ ଧାରାକୁ ଉଠାଇ ନିଆଯାଇଛି । କିନ୍ତୁ ସନ୍ଧ୍ୟା ୫ଟାରୁ ଭୋର ୫ଟା ଯାଏ କରୋନା କର୍ଫ୍ୟୁ ବା ନାଇଟ କର୍ଫ୍ୟୁ ଲାଗୁ ହେବ ।
Powered by Froala Editor