ଆଜି ପରିକ୍ରମା ପ୍ରକଳ୍ପ ପ୍ରଶାସନକୁ ହେବ ହସ୍ତାନ୍ତର
ପୁରୀ: ବହୁ ବାଦବିବାଦ ପରେ ଏବେ ବାସ୍ତବତାର ରୂପ ନେଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆସନ୍ତା ୧୭ ତାରିଖରେ ଏହା କୋଟି କୋଟି ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ। ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଥିବା ଓବିସିସି ଶୁକ୍ରବାର ଏହାକୁ ପ୍ରଶାସନକୁ ହସ୍ତାନ୍ତର କରିବ। ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାକୁ ଆସୁଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଶାସନ ୧୪ ତାରିଖରେ ପୂରା ପ୍ରକଳ୍ପକୁ ପୁଲିସକୁ ହସ୍ତାନ୍ତର କରିବ। ଗୁରୁବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରକଳ୍ପ ଲୋକାର୍ପଣ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ବେଳେ ଏହାର କାର୍ୟ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ଏହି ଅବସରରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ପରିକ୍ରମା ପ୍ରକଳ୍ପ କାମ ପ୍ରାୟ ଶେଷ ହୋଇଯାଇଛି, ଯାହା ବି ଛୋଟମୋଟ କାମ ବାକି ରହିଛି, ତାହାକୁ ସମ୍ପୂର୍ଣ୍ଣ କରି ଶୁକ୍ରବାର ଓବିସିସି ହସ୍ତାନ୍ତର କରିବ। ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର କହିଛନ୍ତି, ପରିକ୍ରମା ପ୍ରକଳ୍ପର ଲ୍ୟାଣ୍ଡସ୍କେପ୍, ବଫର୍ ଜୋନ୍ ସମେତ ଅନ୍ୟ ସମସ୍ତ କାମ ପ୍ରାୟ ସରିଥିବା ଓବିସିସି ଅଧିକାରୀ ଜଣାଇଛନ୍ତି। ଏବେ ପ୍ରକଳ୍ପ ପରିସର ସଫା କରାଯାଉଛି। ଅଗ୍ନିଶମ ବିଭାଗ ଓ ପୌରସଂସ୍ଥା ପକ୍ଷରୁ ଯେଉଁଠି ଯାହା ଆବର୍ଜନା ପଡ଼ିଥିଲା, ତାହା ସଫା କରାଯିବା ସହ ପାଣି ସିଞ୍ଚନ ହେଉଛି। ଶୁକ୍ରବାର ସୁଦ୍ଧା ଓବିସିସି ହସ୍ତାନ୍ତର କରିଦେବ।
Powered by Froala Editor