ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ଶିଶୁର ଦୁଇଗୋଡ଼ ଭାଙ୍ଗିଲା
ଆଦିବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ଜଣେ ୪ ବର୍ଷ ବୟସର ଶିଶୁର ଦୁଇ ଗୋଡ଼ ଭାଙ୍ଗିଛି। ଗୁରୁତର ନାବାଳକ ହେଲା ନବୀନ ଗୁନୁଲୁ। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଶନିବାର ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶେଷ ଦିବସ ଥିଲା। ଏଥିରେ ଯୋଗଦେଇ ଅପରାହ୍ନ ୫ଟାରେ ମନ୍ତ୍ରୀ ଜଗନ୍ନାଥ ସାରକା ଫେରୁଥିଲେ। ଏହି ସମୟରେ ବେଲକଣା ଛକ ନିକଟରେ ଜଣେ ୪ବର୍ଷର ଶିଶୁ ରାସ୍ତା ପାର ହେବା ସମୟରେ ମନ୍ତ୍ରୀଙ୍କ ଗାଡ଼ି ସହ ଧକ୍କା ହୋଇଥିଲା।
ତେବେ ଦୁର୍ଘଟଣା ଘଟିବା ପରେ ମନ୍ତ୍ରୀଙ୍କ ଗାଡ଼ି ସେଠାରୁ ଚାଲି ଆସିବା ସମୟରେ ଗ୍ରାମବାସୀ କାର୍କୁ ଅଟକାଇଥିଲେ। ଫଳରେ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ରହିଥିବା ପୋଲିସ ଯବାନମାନେ ଓହ୍ଲାଇ ଗ୍ରାମବାସୀଙ୍କୁ ବନ୍ଧୁକ ଦେଖାଇଥିଲେ। ଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶିଶୁ ଶରୀରର ବିଭିନ୍ନ ଅଙ୍ଗ ଓ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।
କିନ୍ତୁ ଦୁର୍ଘଟଣାର ଶିକାର ହୋଇଥିବା ଶିଶୁକୁ ଖୋଦ୍ ମନ୍ତ୍ରୀ ଜଗନ୍ନାଥ ସାରକା ନିଜ ଗାଡ଼ିରେ ଶିଶୁକୁ ଆଣି ଚିକିତ୍ସା କରାଉଛନ୍ତି। ବର୍ତ୍ତମାନ ଶିଶୁଟି ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ସୁସ୍ଥ ଥିବା ଜଣାପଡିଛି।
Powered by Froala Editor