ଯୁକ୍ତ ୩ ନାମଲେଖା ପାଇଁ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ କଲେଜରେ ନାମଲେଖା ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ୪ଟି ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇ ସେମାନଙ୍କଠାରୁ ପ୍ରସ୍ତାବ ମଗାଯାଇଛି । ସାମସ ମାଧ୍ୟମରେ ଯୁକ୍ତ୩ରେ ନାମଲେଖାଉ ନଥିବା ଏବଂ ନୂଆ କରି ସୃଷ୍ଟି ହୋଇଥିବା ବିଶ୍ୱବିଦ୍ୟାଳୟକୁ ବିଭାଗ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି । ଜୁନ ୧୬ ସୁଦ୍ଧା ସେମାନେ ନିଜର ମତାମତ ଜଣାଇବାକୁ ବିଭାଗୀୟ ଉପ ନିର୍ଦେଶକ ରାଜେଶ କୁମାର ସାହୁ କହିଛନ୍ତି । ସୂଚନା ଅନୁଯାୟୀ ଯୁକ୍ତ୩ ନାମଲେଖା ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମେତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ନିଜର ସ୍ୱତନ୍ତ୍ର ନାମଲେଖା କରୁଛନ୍ତି । ଯାହାକୁ ନେଇ ବିଭିନ୍ନ ସମୟରେ ବିବାଦ ମଧ୍ୟ ଦେଖାଦେଉଛି । ତେଣୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାମସ ମାଧ୍ୟମରେ ପ୍ରତିବର୍ଷ ହେଉଥିବା ନାମଲେଖା ପ୍ରକ୍ରିୟାରେ ସାମିଲ ହେବା ଲାଗି ଏହି ଦୁଇ ବିଶ୍ୱବିଦ୍ୟାଳୟକୁ ପ୍ରସ୍ତାବ ଦିଆଯାଇଛି । ଏହାବ୍ୟତୀତ ନୂଆ କରି ପ୍ରତିଷ୍ଠା ହୋଇଥିବା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କଲେଜଗୁଡ଼ିକ ଏପର୍ଯ୍ୟନ୍ତ ସାମସରେ ସାମିଲ ହୋଇନାହାନ୍ତି । ତେଣୁ ଶ୍ରୀ ସାହୁ ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କୁ ଚିଠି ଲେଖି ଶିକ୍ଷାନୁଷ୍ଠାନ ଅଧୀନରେ କେତେ ସଂଖ୍ୟକ କଲେଜ ଅଛନ୍ତି, କ’ଣ ସବୁ ବିଷୟ (ଅନର୍ସ ଓ ଇଲେକ୍ଟିଭ) ରହିଛି, ଅନୁମୋଦିତ ସିଟ ସଂଖ୍ୟା, କଲେଜ ଅଧ୍ୟକ୍ଷ, ନାମଲେଖା ଦାୟିତ୍ୱରେ ଥିବା ଅଧିକାରୀ ଓ ଡିଇଓଙ୍କ ନାମ, ମୋବାଇଲ ନମ୍ବର, ଇମେଲ ଆଇଡି ୧୬ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି ।
Powered by Froala Editor