ଉପକୃତ ହେବେ ୫୦ହଜାରରୁ ଅଧିକ ଗାଡ଼ି ମାଲିକ, ଛାଡ଼ ହେଲା ବକେୟା ମୋଟର ଯାନ ଟିକସ
ଭୁବନେଶ୍ୱର: ଦୀର୍ଘବର୍ଷ ଧରି ପଡ଼ିରହିଥିବା ବକେୟା ମୋଟର ଯାନ ଟିକସ ଓ ଜୋରିମାନାକୁ ଛାଡ଼ କଲେ ସରକାର। ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଫଳରେ ଦୀର୍ଘଦିନ ଧରି ବକେୟା ମୋଟର ଯାନ ଟିକସ ଓ ଜୋରିମାନା ଦେଇନଥିବା ପ୍ରାୟ ୫୦ହଜାରରୁ ଅଧିକ ଗାଡ଼ି ମାଲିକ ଉପକୃତ ହେବେ। ଏହି ପ୍ରସ୍ତାବ ସମେତ ୮ଟି ବିଭାଗର ମୋଟ ୧୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ମୋଟର ଯାନ ଟିକସ ଆଦାୟ ପାଇଁ ବାରମ୍ବାର ନୋଟିସ୍ ଓ ସ୍ୱତନ୍ତ୍ର ଅଭିଯାନ ସତ୍ତ୍ୱେ ୨୦୨୨ ମସିହାରେ ମାତ୍ର ୪୬୬୮ଜଣ ମାଲିକଙ୍କଠୁ ବକେୟା ଟିକସ ସଂଗ୍ରହ କରାଯାଇଥିଲା।
ତେବେ ଉଭୟ କେନ୍ଦ୍ର ସରକାର ପୁରୁଣା ଓ ପ୍ରଦୂଷଣ କରୁଥିବା ଗାଡ଼ିଗୁଡ଼ିକୁ ହଟାଇବା ଓ ଅନାଦେୟ ଟିକସ ଛାଡ଼ର ଏକକାଳୀନ ଘୋଷଣା କରି ଗାଡ଼ିମାଲିକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ଏହାଫଳରେ ପୁରୁଣା ପଞ୍ଜିକୃତ ଯାନଗୁଡ଼ିକୁ ସ୍କ୍ରାପିଂ ସୁବିଧା କେନ୍ଦ୍ରରେ ସ୍କ୍ରାପ୍ କରାଇବା ସହଜ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବକେୟା ମୋଟର ଯାନ ଟିକସ ଛାଡ଼/ରିହାତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁ ମାଲିକମାନେ ଗାଡ଼ିଗୁଡ଼ିକୁ ସ୍କ୍ରାପ କରିବାକୁ ଇଚ୍ଛୁକ ଥିବେ, ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜୋରିମାନା ସମ୍ପୂର୍ଣ୍ଣ ଛାଡ଼ କରିବାର ବ୍ୟବସ୍ଥା ହୋଇଛି।
ଯେଉଁମାନେ ଟିକସ ପ୍ରଦାନ କରି ଗାଡ଼ି ଚଳାଇବାକୁ ଆଗ୍ରହୀ ଥିବେ ସେମାନଙ୍କ ପାଇଁ ଜୋରିମାନା ସମ୍ପୂର୍ଣ୍ଣ ଛାଡ଼ କରାଯିବା ସହ ଗାଡ଼ିର ବୟସ ଅନୁଯାୟୀ ଟିକସ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ବହୁ ପୁରୁଣା ଯାନଗୁଡ଼ିକର ମାଲିକମାନେ ସେମାନଙ୍କର ଗାଡ଼ିଗୁଡ଼ିକୁ ସ୍କ୍ରାପ ଓ ପଞ୍ଜିକରଣ ରଦ୍ଦ କରିବା ନିମନ୍ତେ ଆଗେଇ ଆସିବେ ବୋଲି ସରକାର ଆଶା ରଖିଛନ୍ତି। ସେହିପରି ଅନ୍ୟ ଯାନଗୁଡ଼ିକର ଗାଡ଼ି ମାଲିକମାନେ ଯଦି ବ୍ୟବସାୟ କରିବାକୁ ଚାହୁଁଥିବେ ସେମାନେ ଟିକସ ରିହାତି ହାରରେ ଜମା କରିପାରିବେ । ଏହାଦ୍ୱାରା ପର୍ୟ୍ୟାପ୍ତ ପରିମାଣର ବକେୟା ଟିକସ ସଂଗ୍ରହ ହେବା ସହ ଗାଡ଼ିମାଲିକମାନେ ଲାଭାନ୍ୱିତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
Powered by Froala Editor