ଅକ୍ସଜେନ ମକ୍ଡ୍ରିଲ ବେଳେ ୨୨ ମୃତ, ଭିଡିଓ ଭାଇରାଲ ପରେ ସିଲ୍ ହେଲା ପାରସ୍ ହସ୍ପିଟାଲ
ଆଗ୍ରାର ପାରସ ହସ୍ପିଟାଲରେ ମକ୍ ଡ୍ରିଲ୍ ନାମରେ ଅକ୍ସିଜେନ୍ ଯୋଗାଣ ବନ୍ଦ ଯୋଗୁ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ ହେଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ହସ୍ପିଟାଲର ସଞ୍ଚାଳକ ଅରିଞ୍ଜୟ ଜୈନ ଏପ୍ରିଲ ୨୮ ତାରିଖ ଦିନ ୫ ମିନିଟ୍ ପାଇଁ ମକଡ୍ରିଲ କାଳରେ ଅକ୍ସିଜେନ୍ ଯୋଗାଣ ବନ୍ଦ କରିଦେବାରୁ ୨୨ ଜଣ ରୋଗୀ ପ୍ରାଣ ହରାଇଥିଲେ ବୋଲି କହିଥିବା ଶୁଣିବାକୁ ମିଳିଛି ।
ଅରିଞ୍ଜୟ ଜୈନ କହିଛନ୍ତି ଯେ, ଡାକ୍ତରଖାନା ଅମ୍ଳଜାନ ଅଭାବକୁ ଭୟ କରୁଥିଲା ଏବଂ କିଏ ଗୁରୁତର ଅଛନ୍ତି ତାହା ଜାଣିବା ପାଇଁ ଏକ ମକ୍ ଡ୍ରିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ସମୟରେ ୨୨ ଜଣ ରୋଗୀ ପ୍ରାଣ ହରାଇଥିଲେ। ଅବଶ୍ୟ ପରେ ଅରିଞ୍ଜୟ ନିଜ ବୟାନରୁ ଓହରି ଯାଇଥିଲେ। ଭାଇରାଲ ଭିଡିଓରେ ସେ ଏମିତି କହିନାହାନ୍ତି ବୋଲି ଏବେ ଦାବି କରୁଛନ୍ତି। ତେବେ ଭିଡିଓ ଭାଇରାଲ ହେବା ପରେ ଆଗ୍ରାର ପାରସ୍ ହସ୍ପିଟାଲକୁ ସିଲ୍ କରାଯାଇଛି।
ସୂଚନା ଅନୁଯାୟୀ, ମହାମାରୀ ଅଧିନିୟମ ଅନୁସାରେ ମେଡିକାଲ ସଞ୍ଚାଳକ ଡ. ଅରିଞ୍ଜୟ ଜୈନଙ୍କ ବିରୋଧରେ ମାମଲା ରୁଜୁ ମଧ୍ୟ କରାଯାଇଛି। ମୋଦିନଗରରେ ଅକ୍ସିଜେନ ସରି ଯାଇଥିବା ମିଥ୍ୟା ଖବର ପ୍ରଚାର କରିଥିବାରୁ ଅରିଞ୍ଜୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ହସ୍ପିଟାଲରେ ଥିବା ୫୫ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor