ନୂତନ ଜୋତା ଦେଇ ଡେଲିଭରି ବୟଙ୍କ ମନ ଜିତିଲେ ଯୁବକ
ଜଣେ ଡେଲିଭରି ବୟ ସାଧାରଣ ଚପଲ ପିନ୍ଧି ସମସ୍ତଙ୍କ ପାଖକୁ ସାମଗ୍ରୀ ପହଞ୍ଚାଉଥିବା ବେଳେ, ଜଣେ ଦୟାଳୁ ଗ୍ରାହକ ତାଙ୍କୁ ନିଜର ନୂତନ ଜୋତା ଉପହାର ଦେଇ ମନ ଜିତି ପାରିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏ ହୃଦୟସ୍ପର୍ଶୀ ଭିଡିଓ ଇଣ୍ଟରନେଟରେ ବଡ଼ ଉଦାହରଣ ସୃଷ୍ଟି କରିଛି । ଏହି ଘଟଣାଟି ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଡେଲିଭରି ବୟ ସାଇକେଲ ଚଲାଇ କୌଣସି ଏକ ସାମଗ୍ରୀ ଦେବାକୁ ଆସିଛନ୍ତି । ତାଙ୍କ ପାଦରେ ଜୋତା ବଦଳରେ କେବଳ ଏକ ସାଧାରଣ ଚପଲ ଥିଲା । ଏହାକୁ ଦେଖି ଘରର ବାଲକୋନିରେ ଠିଆ ହୋଇଥିବା ଅମନ ନାମକ ଜଣେ ବ୍ୟକ୍ତି ସେହି ଡେଲିଭରି ବୟଙ୍କୁ ଡାକି ପଚାରିଥିଲେ ଯେ, "ଭାଇ, ଜୋତା ନେବ କି ? ଏହା ନୂଆ ଆଡିଡାସ୍ କମ୍ପାନୀର ।" ପ୍ରଥମେ ଡେଲିଭରି ବୟ ଜଣକ ସଙ୍କୋଚବଶତଃ ମନା କରିଦେଇଥିଲେ । କିନ୍ତୁ ଅମନ ଜିଦ୍ କରି ଘର ଭିତରୁ ନିଜର ସେହି ନୂତନ ଜୋତା ଆଣି ତାଙ୍କୁ ଦେଇଥିଲେ ।
ଭିଡିଓରେ ଦେଖାଯାଇଛି ଯେ, ଡେଲିଭରି ବୟ ଜଣକ ଜୋତା ପାଇବା ପରେ ସାଇକେଲରେ ଆଗକୁ ଯାଇ କିଛି ସମୟ ପାଇଁ ଅଟକି ଯାଉଛନ୍ତି ଏବଂ ସେହି ନୂତନ ଜୋତାକୁ ଦେଖୁଛନ୍ତି । ତାଙ୍କ ଚେହେରାରେ ଯେପରି ଏକ ଅଚାନକ ଖୁସି ଏବଂ କୃତଜ୍ଞତାର ଭାବ ସ୍ପଷ୍ଟ ଭାବରେ ବାରି ହୋଇପଡୁଛି। ଏହି ଭିଡିଓଟିକୁ ଦେଖିବା ପରେ ନେଟିଜେନ୍ସମାନେ ଅମନଙ୍କ ଏପରି ମହତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।
Powered by Froala Editor