ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା ମାରି ୨ ଗିରଫ
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରନଙ୍କୁ ଭିଡ଼ ଭିତରେ ଚାପୁଡା ମାରି ଦୁଇ ଜଣ ଗିରଫ ହୋଇଛନ୍ତି । ଏ ଘଟଣା ପରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି କ୍ୟାମେରାରେ। ବିଏଫଏମଟିଭି ଏବଂ ଆରଏମସି ରେଡିଓ ଅନୁଯାୟୀ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ଗିରଫ ଲୋକଙ୍କୁ ପଚରାଉଚରା ମଧ୍ୟ କରାଯାଉଛି।
କୋଭିଡ୍-୧୯ ମହାମାରୀ ପରେ ସାଧାରଣ ଲୋକଙ୍କ ଜୀବନ କେଉଁ ଭଳି ପୂର୍ବବସ୍ଥାକୁ ଫେରୁଛି, ସେ ସମ୍ପର୍କରେ ଆଲୋଚନା ପାଇଁ ରାଷ୍ଟ୍ରପତି ମାକରନ ପୂରା ଦେଶର ଗସ୍ତ କରୁଛନ୍ତି। ମଙ୍ଗଳବାର ଫ୍ରାନ୍ସର ଦକ୍ଷିଣପୂର୍ବରେ ଥିବା ଡ୍ରୋମ୍ ଅଞ୍ଚଳରେ ପହଞ୍ଚିଥିଲେ ରାଷ୍ଟ୍ରପତି। ବାରିକେଡ ପାଖରେ ଛିଡ଼ା ହୋଇଥିବା ଜଣେ ଲୋକଙ୍କ ପାଖକୁ ହାତ ମିଳାଇବାକୁ ଯାଇଥିଲେ ରାଷ୍ଟ୍ର ମୁଖ୍ୟ। ସେହି ସମୟରେ କେହି ଜଣେ ବ୍ୟକ୍ତି ରାଷ୍ଟ୍ରପତିଙ୍କ ହାତଧରି ମାକରନଙ୍କୁ ଚାପୁଡ଼ା ମାରିଥିଲେ ଓ ଅନ୍ୟ ଜଣେ ତାଙ୍କୁ ଠେଲି ଦେଇଥିଲେ। ତୁରନ୍ତ ହସ୍ତକ୍ଷେପ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲେ ସୁରକ୍ଷା କର୍ମୀମାନେ। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ଭିଡିଓରେ, ବ୍ୟକ୍ତି ଜଣକ 'ଡାଉନ୍ ଓ୍ବିଥ୍ ମାକ୍ରୋନିୟନ୍ସ' କହୁଥିବାର ଶୁଣାଯାଉଛି। ଏହା ପରେ ସେ ମାକ୍ରୋନ୍ ଙ୍କ ମୁହଁରେ ଚାପୁଡ଼ା ମାରୁଥିବା ନଜର ଆସିଛି। ଏହାର ତଦନ୍ତ ଚାଲିଛି । ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଭର ସୂତ୍ରରୁ ଜଣାପଡିଛି ।
Powered by Froala Editor