ଆସିବ ସବୁଠୁ ଶସ୍ତା ଟିକା
ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ ଇ ଲିମିଟେଡ ପକ୍ଷରୁ ପ୍ରସ୍ତୁତ ହେଉଥିବା ଟିକା କୋର୍ବେଭାକ୍ସ ଦେଶର ସବୁଠୁ ଶସ୍ତା କରୋନା ଟିକା ହୋଇପାରେ । ଏପରିକି ଦୁଇଟି ଡୋଜ କୋର୍ବେଭାକ୍ସ ଟିକାର ମୂଲ୍ୟ ୫୦୦ ଟଙ୍କା ରହିପାରେ । ଏପରିକି ୪୦୦ ଟଙ୍କାରେ ମଧ୍ୟ ମିଳିବା ସମ୍ଭାବନା ରହିଛି । ତେବେ ଚୂଡ଼ାନ୍ତ ମୂଲ୍ୟ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ । ଉକ୍ତ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଏବେ ଚାଲିଛି ଏବଂ ଜରୁରୀକାଳୀନ ବ୍ୟବହାର ପାଇଁ ଏହା ମଞ୍ଜୁରି ଅପେକ୍ଷାରେ ରହିଛି । ଉକ୍ତ କମ୍ପାନିଠାରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୩୦ କୋଟି ଟିକା ଡୋଜ୍ କିଣିବା ପାଇଁ ଆଗୁଆ ରାଜିନାମା ଗତ ଗୁରୁବାର କରିସାରିଛି । ଉକ୍ତ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ ଅତି ଉତ୍ତମ ରହିଛି । ତେବେ ଆସନ୍ତା କିଛିମାସ ମଧ୍ୟରେ ଏହି ଟିକା ଉପଲବ୍ଧ ହୋଇଯିବ ବୋଲି ଆଶା କରାଯାଉଛି । ଅକ୍ସଫୋର୍ଡ-ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲଡ ଟିକାର ଦୁଇଟି ଡୋଜ୍ ମୂଲ୍ୟ ରାଜ୍ୟ ସରକାରଙ୍କ ପାଇଁ ୬୦୦ ଟଙ୍କା ଥିବାବେଳେ ଘରୋଇ ହସ୍ପିଟାଲରେ ଏହାର ମୂଲ୍ୟ ୧୨୦୦ ଟଙ୍କା ରହିଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଦୁଇଟି ଡୋଜ୍ ମୂଲ୍ୟ ସରକାରଙ୍କ ପାଇଁ ୮୦୦ ଟଙ୍କା ଏବଂ ଘରୋଇ ହସ୍ପିଟାଲ ପାଇଁ ୨୪୦୦ ଟଙ୍କା ରଖାଯାଇଛି । ଅନ୍ୟପକ୍ଷରେ ରୁଷ ନିର୍ମିତ ସ୍ପୁଟନିକ୍-ଭି ଟିକା ମୂଲ୍ୟ ଡୋଜ ପିଛା ୯୯୫ ଟଙ୍କା ରହିଛି ।
Powered by Froala Editor