ଦେଶରେ କରୋନା ସ୍ଥିତିରେ ଉନ୍ନତି, ବଢୁଛି ସୁସ୍ଥ ହାର
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିରେ ଉତ୍ସାହଜନକ ଉନ୍ନତି ପରିଲକ୍ଷିତ ହୋଇଛି । ଲଗାତାର ୨୪ ଦିନ ହେଲା ସଂକ୍ରମିତଙ୍କ ଠାରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥ ହାର ଦ୍ରୁତ ଗତିରେ ବଢି ୯୩.୬୭ ପ୍ରତିଶତରେ ପହଞ୍ଚିଛି । ଦୈନିକ ପଜିଟିଭିଟି ହାର ୫.୬୨ ପ୍ରତିଶତକୁ କମିଛି । ଲଗାତାର ତ୍ରୟୋଦଶ ଦିନ ପାଇଁ ପଜିଟିଭିଟି ହାର ୧୦%ରୁ କମ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ପ୍ରକାଶ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୧.୧୪ ଲକ୍ଷରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩ ହଜାର ତଳକୁ ରହିଛି। ଗତ ୫୯ ଦିନ ମଧ୍ୟରେ ଆଜି ସର୍ବନିମ୍ନ ଦୈନିକ ସଂକ୍ରମଣ ରିପୋର୍ଟ ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୧୪,୪୬୦ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨,୬୭୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୮,୦୯,୩୩୯ ଓ ମୃତ୍ୟୁସଂଖ୍ୟା ୩,୪୬,୭୫୯ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୧,୮୯,୨୩୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୬୯,୮୪,୭୮୧ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୪,୭୭,୭୯୯।
Powered by Froala Editor