ଡେଲଟା ପ୍ରଜାତିର ଭୂତାଣୁ ପାଇଁ ବଢୁଛି କରୋନାର ପ୍ରାଦୁର୍ଭାବ

ନୂଆଦିଲ୍ଲୀ : ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲଟା ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଅତିଶୟ ସଂକ୍ରାମକ ହେବା ସହ ଏହାର କ୍ଷିପ୍ରତା ହିଁ ସଂକ୍ରମଣର ବ୍ୟାପକତାକୁ ଦ୍ରୁତ କରି ପକାଉଛି । ଦେଶରେ ବ୍ୟାପକ କ୍ଷତି ପହଞ୍ଚାଇଥିବା କୋଭିଡ-୧୯ ଦ୍ୱିତୀୟ ଲହର ସଂକ୍ରମଣର ପ୍ରାଦୁର୍ଭାବ ପାଇଁ ଏହି ଡେଲଟା ବା ବି.୧..୬୧୭.୨ ନାମକ ପ୍ରଜାତି ହିଁ ଦାୟୀ ବୋଲି ଏକ ସରକାରୀ ଅନୁଧ୍ୟାନରୁ ଜଣାଯାଇଛି । ଏପରିକି ବ୍ରିଟେନର କେଣ୍ଟରେ ପ୍ରଥମେ ଦେଖାଦେଇଥିବା ଆଲଫା ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଠାରୁ ଏହି ଡେଲଟା ପ୍ରଜାତି ଅଧିକ ସଂକ୍ରାମକ ବୋଲି ଏଥିରୁ ଜଣାଯାଇଛି । ଦେଶରେ ଦ୍ୱିତୀୟ ଲହର ଆବିର୍ଭାବର କାରଣ ଖୋଜିବା ପାଇଁ ଭାରତୀୟ ସାର୍ସ କୋଭ-୨ ଜିନୋମିକ କନସୋର୍ଟିଆ ଓ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏହି ଗବେଷଣାରୁ ମିଳିଥିବା ନିର୍ଯାସ ଅନୁଯାୟୀ, ଏହି ଡେଲଟା ପ୍ରଜାତି ୟୁକେର ଆଲଫା ପ୍ରଜାତି ଅପେକ୍ଷା ୫୦ ପ୍ରତିଶତ ଅଧିକ ସଂକ୍ରାମକ । ଅପରପକ୍ଷେ, ଏହି ଦ୍ୱିତୀୟ ଲହରରେ ସଂଘଟିତ ଅଧିକ ସଂଖ୍ୟକ ମୃତୁ୍ୟ ଅଥବା ରୋଗୀକୁ ଅଧିକ ଗୁରୁତର କରି ପକାଇବା ପଛରେ ଡେଲଟା ପ୍ରଜାତି ଭୂତାଣୁର କୌଣସି ଭୂମିକା ଥିବା ସମ୍ପର୍କରେ ସେଭଳି କିଛି ଠୋସ ପ୍ରମାଣ ମିଳିପାରିନାହିଁ । ତେବେ ୟୁକେରେ ଏହି ରୂପାନ୍ତରିତ ପ୍ରଜାତିଗୁଡ଼ିକ ଉପରେ ନିଘା ରଖିଥିବା ବ୍ରିଟେନ ଜନସ୍ୱାସ୍ଥ୍ୟ ବିଭାଗର ଅନୁଧ୍ୟାନ ଅନୁଯାୟୀ, ଆଲଫା ପ୍ରଜାତି ଅପେକ୍ଷା ଏହି ଡେଲଟା ପ୍ରଜାତି ହିଁ ରୋଗୀର ଡାକ୍ତରଖାନାରେ ଭର୍ତ୍ତି ହେବା ଆଶଙ୍କା ବଢ଼ାଇଦେଉଛି । ତଥାପି ଏ ଦିଗରେ ଅଧିକ ଗବେଷଣା କାମ୍ୟ ବୋଲି କୁହାଯାଇଛି । ଅପରପକ୍ଷେ, ଭାରତରେ ଜାରି ରହିଥିବା ଏହି ଅନୁଧ୍ୟାନରେ ଦେଶରେ ୧୨,୨୦୦ରୁ ଅଧିକ ପ୍ରଜାତି ଭୂତାଣୁର ଆନୁବଂଶିକ ଅନୁକ୍ରମକୁ ତର୍ଜମା କରାଯାଇଛି ।
Powered by Froala Editor