ନିଠାରୀ ହତ୍ୟାକାଣ୍ଡ ଘଟଣା : ଆଉ ଫାଶୀ ପାଇବେନି ଦୁଇ ଅଭିଯୁକ୍ତ
ବହୁ ଚର୍ଚ୍ଚିତ ନୋଏଡା ନିଠାରୀ ମାମଲାରେ ଆସିଲା ବଡ଼ ରାୟ। ମାମଲାର ମୁଖ୍ୟ ଅଭିଯୁକ୍ତ ସୁରିନ୍ଦର କୋଲିକୁ ଦୋଷମୁକ୍ତ କରିଛନ୍ତି ଆଲ୍ହାବାଦ ହାଇକୋର୍ଟ। ଦୁଷ୍କର୍ମ ଓ ହତ୍ୟା ନେଇ ତଳ କୋର୍ଟ ଅଭିଯୁକ୍ତ ସୁରିନ୍ଦର କୋଲିଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ଅନ୍ୟ ଅଭିଯୁକ୍ତ ମନିନ୍ଦର ସିଂ ପାଣ୍ଡେରା ମଧ୍ୟ ଦୁଇଟି ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିଲା। ମାମଲାରେ ଉଭୟଙ୍କୁ ସ୍ବତନ୍ତ୍ର କୋର୍ଟରେ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି ଆଲ୍ହାବାଦ ହାଇକୋର୍ଟ। ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନିଠାରୀ ହତ୍ୟାକାଣ୍ଡ ମାମଲାରେ ସିବିଆଇ ୧୬ଟି ମାମଲା ରୁଜୁ କରିଥିଲା। ଏଥିମଧ୍ୟରୁ ସୁରିନ୍ଦର କୋଲିଙ୍କୁ ୧୪ଟି ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେଥିମଧ୍ୟରୁ ୧୨ଟି ମାମଲାରେ ସୁରିନ୍ଦର ଦୋଷମୁକ୍ତ ହୋଇଥିବା ଜଣାପଡିଛି। ସେହିପରି ମନିନ୍ଦର ସିଂ ପାଣ୍ଡେରାଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିବା ବେଳେ ତାଙ୍କୁ ୩ଟି ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେ ପୂର୍ବରୁ ଦୁଇଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।
୨୦୦୬ ଡିସେମ୍ବର ୨୯ ତାରିଖରେ ନୋଏଡାର ଗୌତମ ବୁଦ୍ଧ ନଗରର ନିଠାରୀ ଅଞ୍ଚଳରୁ ମନିନ୍ଦରଙ୍କ ଘର ପଛରେ ଥିବା ଡ୍ରେନରୁ ୧୯ଟି ନର କଙ୍କାଳ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ନୋଏଡା ପୁଲିସ କୋଲି ଏବଂ ମନିନ୍ଦରଙ୍କୁ ଗିରଫ କରିଥିଲା। ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ସମଗ୍ର ମାମଲାରେ ସିବିଆଇ ମୋଟ ୧୬ଟି ମାମଲା ରୁଜୁ କରିଥିଲା।
Powered by Froala Editor