ବର୍ଷକୁ ୬ ହଜାର ପରିବର୍ତ୍ତେ ଚାଷୀଙ୍କୁ ମିଳିବ ୮ ହଜାର ଟଙ୍କା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ବର୍ଷକୁ ଏବେ ୩ଟି କିସ୍ତିରେ କେନ୍ଦ୍ର ସରକାର ୬୦୦୦ ଟଙ୍କା ପ୍ରଦାନ କରୁଛନ୍ତି। ଗୋଟିଏ କିସ୍ତିରେ ୨୦୦୦ ଟଙ୍କା ମିଳୁଛି। କିନ୍ତୁ ସରକାର ବାର୍ଷିକ ୬ ହଜାର ଟଙ୍କା ପରିବର୍ତ୍ତେ ୮ ହଜାର ଟଙ୍କା ଚାଷୀଙ୍କୁ ପ୍ରଦାନ କରିପାରନ୍ତି। ନାମ ଗୋପନ ରଖି ଦୁଇ ଅଧିକାରୀ କହିଛନ୍ତି, ଉକ୍ତ ଯୋଜନା ବାବଦ ଅର୍ଥ ୮ ହଜାର ଟଙ୍କାକୁ ବୃଦ୍ଧି କରାଯିବାର ବିକଳ୍ପ ଉପରେ ବିଚାର ବିମର୍ଶ ଚାଲିଛି। ଯଦି ଏହି ଯୋଜନାକୁ ମଞ୍ଜୁରି ମିଳେ ତାହେଲେ ସରକାରଙ୍କୁ ବାର୍ଷିକ ଏ ବାବଦରେ ଅଧିକ ୨୦ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ହେବ।
ତେବେ ଅର୍ଥମନ୍ତ୍ରାଳୟର ପ୍ରବକ୍ତା ନାନୁ ଭସିନ ଏହି ପ୍ରସଙ୍ଗ ଉପରେ କିଛି କହିବାକୁ ମନା କରିଦେଇଛନ୍ତି। ମୋଦୀ ସରକାର ଏହି ଯୋଜନାରେ ପ୍ରାୟ ୧୧ କୋଟି କୃଷକଙ୍କୁ ବର୍ତ୍ତମାନ ସୁଦ୍ଧା ୨.୪୨ ଲକ୍ଷ ଟଙ୍କା ପ୍ରଦାନ କରି ସାରିଲେଣି। ଯଦି ସରକାର ଏ ସଂପର୍କରେ ସକାରାତ୍ମକ ନିଷ୍ପତ୍ତି ନିଅନ୍ତି ତାହେଲେ ଚାଷୀମାନେ ଏ ବାବଦରେ ବର୍ଷକୁ ୪ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ପାଇବା ସମ୍ଭାବନା ରହିଛି। ୧୫ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଚଳିତମାସରେ ଆସିବା ସମ୍ଭାବନା ରହିଛି।
Powered by Froala Editor