ହକି ଖେଳାଳିଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଛି ଭାରତୀୟ ହକି ଦଳ। ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଜାପାନକୁ ହରାଇ ଏସିଆନ ଗେମ୍ସ ହକିରେ ଭାରତ ଜିତିଛି ସ୍ୱର୍ଣ୍ଣ। ଭାରତୀୟ ପୁରୁଷ ଟିମ ଫାଇନାଲରେ ୨୦୧୮ର ଚାମ୍ପିୟନ ଜାପାନକୁ ୫-୧ ଗୋଲରେ ହରାଇ ୯ ବର୍ଷ ପରେ ସ୍ବର୍ଣ୍ଣ ପଦକ ହାସଲ କରିଛି। ସ୍ୱର୍ଣ୍ଣ ପଦକ ସହ ଭାରତ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳ ଏହି ସ୍ବର୍ଣ୍ଣିମ ସଫଳତା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ହକି ଦଳ ଏପରି ବିଜୟ ଧାରା ବଜାୟ ରଖି ଦେଶର ଗୌରବ ବଢାଇ ଚାଲନ୍ତୁ ବୋଲି କହିବା ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥି ସହ ମୁଖ୍ୟମନ୍ତ୍ରୀ ଭାରତୀୟ ହକି ଦଳର ଖେଳାଳି ଓ ସହାୟକ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି। ପଦକ ସମାରୋହ ପରେ ଭିଡିଓ କଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳ ସହ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେତା ଭାରତୀୟ ପୁରୁଷ ହକି ଦଳକୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ସେମାନଙ୍କର ଅଦମ୍ୟ ନିଷ୍ଠା ଏବଂ ପରିଶ୍ରମ ପୁଣି ଥରେ ପ୍ରମାଣିତ କରିଛି ଯେ ହକି ପ୍ରକୃତରେ ଭାରତର ଖେଳ, ଯାହା ଆମ ଦେଶର ଅଦମ୍ୟ ଆତ୍ମାକୁ ପ୍ରତିପାଦିତ କରେ। ଓଡିଶା ଯେଉଁଠାରେ ହକି ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ, ଏହି ଐତିହାସିକ ଦିନଟି ଆମ ପ୍ରିୟ ଖେଳ ଏବଂ ଆମ ଦେଶ ପାଇଁ ଏକ ସ୍ମରଣୀୟ ବିଜୟ ଭାବରେ ଆମ ସ୍ମୃତିରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଆସନ୍ତା ବର୍ଷ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସ ପାଇଁ ପ୍ରସ୍ତୁତ ହେଉଥିବାରୁ ମୁଁ ଭାରତୀୟ ଦଳକୁ ଶୁଭକାମନା ଜଣାଉଛି।
Powered by Froala Editor