ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ : ସହଯୋଗ ଓ ସମନ୍ୱୟ ବାତ୍ୟା ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ –ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ମୋସୁମୀ ବର୍ଷା ପରେ ଅକ୍ଟୋବର ଶେଷ ଆଡକୁ ଓଡିଶାରେ ବାତ୍ୟା ସଂଘଠିତ ହୋଇଥାଏ । ପାଣିପାଗ ବିଭାଗ ଆକଳନ ଅନୁସାରେ ଅକ୍ଟୋବର ୧୦ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ଏଣୁ ଏହା ପରେ ବିଶେଷ କରିପ୍ରାୟ ୪୫ ଦିନ ମଧ୍ୟରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ସରକାରଙ୍କ ପୂର୍ବ ଅନୁଭୂତି ଓ ଅଭିଜ୍ଞତା ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ବାତ୍ୟା ନିମନ୍ତେ ଆଗୁଆ ସତର୍କ ରହିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।ବାତ୍ୟା ପରିଚାଳନା ପାଇଁ ବିଭିନ୍ନ ବିଭାଗର ସହଯୋଗ ଓ ସମନ୍ୱୟ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସତ୍ୟବ୍ରତ ସାହୁ, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଅଗ୍ନିଶମ ସେବା ଡିଜି ଡଃ. ସୁଧାଂଶୁ ଷଡଙ୍ଗୀଙ୍କ ସମେତ ରାଜ୍ୟ ସରକାରଙ୍କ ସଂପୃକ୍ତ ୧୨ ଟି ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଶ୍ରୀ ଏଚ୍ଆର ବିଶ୍ୱାସ ଯୋଗଦେଇ ରାଜ୍ୟରେ ବାତ୍ୟା ସତର୍କତା ସୂଚନା ପଦ୍ଧତି ସଂପର୍କରେ ଅବଗତ କରାଇଥିଲେ । ବୈଠକରେ ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ମିଶମ ବିଭାଗ ଆଦିର ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ସଂସ୍ଥା ତଥା କାର୍ୟ୍ୟାଳୟରେ ରହିଥିବା ଯନ୍ତ୍ରପାତିଗୁଡିକର ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ସ୍ଥଳେ ଗୁଣାତ୍ମକମାର ନୂତନ ଯନ୍ତ୍ରପାତି କ୍ରୟ କରି ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ସମସ୍ତ ବିଭାଗରେ ବାତ୍ୟା ପରିଚାଳନା ନେଇ ଏସଓପି ରହିଥିବା ସତ୍ୱେ ସମସ୍ତ ବିଭାଗମାନଙ୍କୁ ନିଜ ନିଜ ବିଭାଗରେ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ବୈଠକ କରି ପ୍ରସ୍ତୁତି ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗତ ବାହାନଗା ରେଳ ଦୁର୍ଘଟଣା ସମୟରେ ଯେପରି ବିଭିନ୍ନ ବିଭାଗର ସମନ୍ୱୟରେ ବିପର୍ୟ୍ୟୟର ମୁକାବିଲା କରାଯାଇଥିଲା, ଏହି ଦୃଷ୍ଟିରୁ ଆମର ବିପର୍ୟ୍ୟୟ ସମୟର ପ୍ରତିକ୍ରିୟା ବା ରେସପନ୍ସ ସଂପର୍କରେ କୌଣସି ସନ୍ଦେହ ନାହିଁ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଯେତେବେଳେ ସହାୟତା ଆବଶ୍ୟକ କରିବେ, ବିଶେଷ କରି ଶକ୍ତି ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ଜଳ ସଂପଦ ବିଭାଗ ଆଦି ବିଭାଗ ମାନେ ତ୍ୱରିତ ସହାୟତା ପ୍ରଦାନ କରିବାକୁ କୁହାଯାଇଛି । ଓଡିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପରିଚାଳନା ନିର୍ଦ୍ଦେଶକ ଡଃ. ଜ୍ଞାନ ରଂଜନ ଦାସ ଓଡିଶାରେ ବିପର୍ୟ୍ୟୟ ମୁକାବିଲା ପାଇଁ ଉପଲବ୍ଧ ରିସୋର୍ସ(ସମ୍ବଳ) ନେଟଓ୍ୱାର୍କ ଓ ପ୍ରସ୍ତୁତି ସଂପର୍କରେ ଅବଗତ କରିଥିଲେ । ଭାରତୀୟ ପାଣିପାଗ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଆବଶ୍ୟକ ପ୍ରସ୍ତୁତି ଜାରି ରହିଥିବା ସଂପର୍କରେ ସେ ସୂଚନା ଦେଇଥିଲେ ।
Powered by Froala Editor