ଟ୍ରିପଲ ମର୍ଡର : ରାସ୍ତାରୁ ମା’, ୨ ବର୍ଷ ଶିଶୁ ଓ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି ଜୁନାଗଡ଼ ଥାନା ଶଙ୍କରପଲା ଗାଁରେ ଟ୍ରିପଲ୍ ମର୍ଡର ହୋଇଛି । ମାଆ, ପୁଅ ଓ ଜଣେ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଛି। ରାସ୍ତା କଡ଼ରୁ ରାଇବତୀ ମାଝୀ (୩୫), ୨ ବର୍ଷର ପୁଅ ଶିବଶକ୍ତି ମାଝୀ ଓ ପଡ଼ୋଶୀ ବୃଦ୍ଧ ମହେନ୍ଦ୍ର କୁମାର(୬୦)ଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକମାନଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ମୃତଦେହ ନିକଟରୁ ଏକ ଧାରୁଆ ଅସ୍ତ୍ର ମଧ୍ୟ ମିଳିଛି। ତେଣୁ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୀଭତ୍ସ ହତ୍ୟା କରିଥିବା ସଂଦେହ ହେଉଛି।
ପୁଲିସ ମୃତଦେହଗୁଡ଼ିକୁ ଜବତ କରି ଛାନଭିନ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ମୃତ ମହିଳାଙ୍କର ସ୍ୱାମୀ ବ୍ରଜ ମାଝୀ ଦୀର୍ଘ ୯ ବର୍ଷ ହେଲା ଜେଲରେ ଅଛନ୍ତି। ବ୍ରଜ ମାଝୀ ନିଜ ଖୁଡ଼ିକୁ ହତ୍ୟା କରି ଜେଲ ଯାଇଛନ୍ତି।
ସନ୍ଧ୍ୟା ସମୟରେ ରାସ୍ତାକଡ଼ରେ ବ୍ରଜ ମାଝୀଙ୍କ ସ୍ତ୍ରୀ ରାଇବତୀ ମାଝୀ ଓ ତାଙ୍କର ଶିଶୁପୁତ୍ର ସମେତ ମହେନ୍ଦ୍ର କୁମାରଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩ ଜଣଙ୍କ ମୃତଦେହ ପଡ଼ିଥିଲା।
Powered by Froala Editor