ନବୀନଙ୍କ ଦାବିକୁ ସମର୍ଥନ କଲେ ପିନାରାଇ ବିଜୟନ
ଭୁବନେଶ୍ୱର: ଦେଶରେ ଟିକାକରଣ ନିୟମରେ ପରିବର୍ତ୍ତନ ପାଇଁ ନବୀନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଚିଠି ଲେଖି ନବୀନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ।
ପ୍ରକାଶ ଯେ, କରୋନାକୁ ମାତ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଅଧିକାଂଶ ସ୍ଥାନରେ ଟିକାର ଅଭାବ ପାଇଁ ଟିକାକରଣ ବାଧାପ୍ରାପ୍ତ ହେଉଛି । ତେବେ କେନ୍ଦ୍ର ସରକାର କମ୍ପାନୀମାନଙ୍କ ଠାରୁ ଟିକା ଆଣି ରାଜ୍ୟ ସରକାରଙ୍କୁ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ । ଏନେଇ ନବୀନ ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନ ଚିଠି ଲେଖି ଏନେଇ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ । ଟିକା ସଙ୍କଟ ଦୂର କରିବା ପାଇଁ ନବୀନ ସମସ୍ତଙ୍କୁ ଚିଠି ଲେଖିବା ସହ ସମସ୍ତଙ୍କ ସହମତି ଲୋଡ଼ିଥିଲେ । ଟିକା ପାଇଁ ପରସ୍ପର ଭିତରେ ନଲଢି, ଏକାଠି ଲଢିବାକୁ ନବୀନ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।
ନବୀନ ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ ଯେ, ଆମ ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା । ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଟେଣ୍ଡର ଡାକିଛନ୍ତି । କିନ୍ତୁ ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ଟିକା କମ୍ପାନୀମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁନାହାନ୍ତି । ଏଭଳି ପରିସ୍ଥିତିରେ ଏକମାତ୍ର ବିକଳ୍ପ ହେଉଛି କେନ୍ଦ୍ର ଟିକା ଆଣି ରାଜ୍ୟକୁ ଦେଉ । ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ।
Powered by Froala Editor