୫ ହଜାର ଲାଞ୍ଚ ନେଇ ଗିରଫ ହେଲେ ଆୟୁର୍ବେଦ ମେଡିକାଲ କାର୍ଯ୍ୟାଳୟ କିରାଣି

୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଆୟୁର୍ବେଦ ମେଡିକାଲ ଅଫିସରଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦେବାଶିଷ ମହାପାତ୍ର। କେନ୍ଦୁଝର ଜିଲାର ବିଭିନ୍ନ ଚିକିତ୍ସାଳୟରେ କାର୍ଯ୍ୟରତ ୩୦ଜଣ ଅଧିକାରୀ ସହାୟକଙ୍କ ଜାନୁୟାରୀରୁ ମେ ପର୍ଯ୍ୟନ୍ତ ୫ମାସର ବର୍ଦ୍ଧିତ ବକେୟା ମହଙ୍ଗା ଭତ୍ତା ବିଲ୍ ପାସ ପାଇଁ ଦେବାଶିଷ ପାତ୍ର ୧୫ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।
ତେବେ ଏକସଙ୍ଗେ ଏତେ ପରିମାଣର ଅର୍ଥ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ପ୍ରଥମେ ଅଗ୍ରୀମ ଭାବେ ୫ହଜାର ଟଙ୍କା ପ୍ରଦାନ ସହ ବିଲ୍ ପାସ୍ ହେବାପରେ ଅବଶିଷ୍ଟ ୧୦ହଜାର ଟଙ୍କା ଲାଞ୍ଚ ଅର୍ଥ ପ୍ରଦାନ କରିବାକୁ ଚମ୍ପୁଆ ଉପଖଣ୍ଡ ପୁରୁଷୋତ୍ତମପୁର ଅଧିକାରୀ ଚିକିତ୍ସାଳୟ ସହାୟକ ବିରାମ ଟୁଡୁଙ୍କୁ ମୁଖ୍ୟ କିରାଣୀ ଦେବାଶିଷ କହିଥିଲେ । ବିରାମଙ୍କ ଠାରୁ ସେ ୫ ହଜାର ଟଙ୍କା ଅଗ୍ରୀମ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ଏହା ପରେ ତାଙ୍କର ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ମହାପାତ୍ରଙ୍କ ସରକାରୀ ବାସଭବନ ସମେତ ତାଙ୍କ ସ୍ତ୍ରୀ ଅବସ୍ଥାନ କରୁଥିବା ବାରିପଦାସ୍ଥିତ ଆନନ୍ଦବଜାର ଭଡା ଗୃହ ଏବଂ ଖୋର୍ଦ୍ଧା ଜିଲା ବେଗୁନିଆ ଅଧିନ କୁଶପାଳସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଜାରି ରହିଛି ।
Powered by Froala Editor