ଲୋନ୍ ସ୍କାମ୍ ନେଇ ସୌମ୍ୟ , ସବ୍ସିଡି ସ୍କାମ୍ ମାମଲାରେ ସୁଧାଂଶୁ - ବିଜେଡି ରୁ ବହିଷ୍କୃତ
ବିଜେଡିରୁ ବହିଷ୍କାର ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକଙ୍କୁ ବିଜେଡିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସୌମ୍ୟଙ୍କ ସହ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମଧ୍ୟ ଦଳରୁ ବହିଷ୍କୃତ । ୨ ବିଧାୟକଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ।
‘ଲୋନ୍ ସ୍କାମ୍ ନେଇ ଇଓଡବ୍ଲୁରେ ସୌମ୍ୟଙ୍କ ନାଁରେ ଅଭିଯୋଗ ହୋଇଛି। ଅନେକ ପୂର୍ବତନ କର୍ମଚାରୀ ଏନେଇ ଅଭିଯୋଗ କରିଛନ୍ତି। ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍ ଉଠାଯାଇଛି। ଜାଲ୍ ଡକ୍ୟୁମେଣ୍ଟ ଯୋଗେ କୋଟି କୋଟି ଟଙ୍କା ଉଠାଯାଇଛି। ଲୋନ୍ ଉଠାଇବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ୍ ଫ୍ରଡ୍ ବୋଲି ବିଜେଡି ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି। ସୂଚନାନୁଯାୟୀ, ସୌମ୍ୟ ରଞ୍ଜନଙ୍କ ବିରୋଧରେ ଇଓଡବ୍ଲ୍ୟୁରେ ମାମଲା ରୁଜୁ ହୋଇଛି। ସମ୍ବାଦର ପୂର୍ବତନ କର୍ମଚାରୀ ଇଓଡବ୍ଲ୍ୟୁରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦ (ଖ)ରେ ମାମଲା ରୁଜୁ ହୋଇଛି। ଆହୁରି ଅନେକ କର୍ମଚାରୀ ତାଙ୍କ ନାମରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ବ୍ୟାଙ୍କ ସ୍କାମର ମଧ୍ୟ ଅଭିଯୋଗ ରହିଛି। ଜାଲ୍ ଡକ୍ୟୁମେଣ୍ଟ ଦେଇ ୩୦୦ରୁ ଉର୍ଦ୍ଧ୍ଵ କର୍ମଚାରୀଙ୍କ ନାଁରେ ଋଣ ନିଆଯାଇଛି। ଏହିଠାରେ ସୂଚନା ଯେ ସେପ୍ଟେମ୍ବର ୧୨ ତାରିଖରେ ସୌମ୍ୟଙ୍କୁ଼ ବିଜେଡି ଦଳର ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା।
ସେହିପରି ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବହିଷ୍କାର ନେଇ କାରଣ ଦର୍ଶାଇଛି ବିଜେଡି। ସବ୍ସିଡି ସ୍କାମ୍ ମାମଲାରେ ସୁଧାଂଶୁଙ୍କୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜରେ ଦର୍ଶାଯାଇଛି। ସୁଧାଂଶୁ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବ୍ସିଡି ହଡ଼ପ କରିଛନ୍ତି। ସୁଧାଂଶୁଙ୍କ ପରିଚାଳନାଧୀନ କଂପାନୀ ୩ କୋଟି ହଡ଼ପ କରିଛି। ଲୋକପାଳଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ମାମଲାର ତଦନ୍ତ କରୁଛି।
Powered by Froala Editor