୧୭ ରେ ଆରମ୍ଭ ହେବ ଆୟୁଷ୍ମାନଭବ କାର୍ୟ୍ୟକ୍ରମ
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଏହି ଅବସରରେ ଦେଶରେ ଆରମ୍ଭ ହେବ ଆୟୁଷ୍ମାନଭବ କାର୍ୟ୍ୟକ୍ରମ । ଯାହାଦ୍ବାରା ସମସ୍ତ ରାଜ୍ୟରେ ସବୁ ବର୍ଗର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।
ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଆମେ 'ଆୟୁଷ୍ମାନ ଭବ' କାର୍ୟ୍ୟକ୍ରମ ଆରମ୍ଭ କରିବୁ। ଯାହା ଦ୍ବାରା ପ୍ରତ୍ୟେକ ରାଜ୍ୟରେ ସବୁ ବର୍ଗର ଲୋକ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପାଇପାରିବେ। ଏହି କାର୍ୟ୍ୟକ୍ରମରେ କ୍ୟାମ୍ପ୍ କରାଯାଇ ୬୦ ହଜାର ଲୋକଙ୍କୁ ଆୟୁଷ୍ମାନ ଭାରତ କାର୍ଡ୍ ଦିଆଯିବ । ଆଗାମୀ ଦିନରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଏହି କାର୍ୟ୍ୟକ୍ରମକୁ ଆମେ ଜାରି ରଖିବୁ ।
ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଶ୍ବର ସର୍ବ ବୃହତ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା । ଏହି ଯୋଜନାରେ ହିତାଧିକାରୀଙ୍କ ପରିବାରୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥାଏ । ଗତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯକ୍ଷ୍ମା ରୋଗ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା । ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୁରା ବିଶ୍ବରୁ ଯକ୍ଷ୍ମା ରୋଗକୁ ଦୂର କରିବାକୁ ୨୦୩୦ ପର୍ୟ୍ୟନ୍ତ ଲକ୍ଷ୍ୟ ରହିଛି, କିନ୍ତୁ ୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ହେବ ଭାରତ । ଦେଶରେ ଯକ୍ଷ୍ମା ରୋଗକୁ ଚିହ୍ନଟ, ଚିକିତ୍ସା, ପ୍ରତିଷେଧକ, ସଚେତନତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଯକ୍ଷ୍ମା ରୋଗ ଚିହ୍ନଟ ପାଇଁ ମାଗଣାରେ ଟେଷ୍ଟିଂ ଓ ମାଗଣାରେ ଔଷଧ ଦିଆଯାଉଛି ।
Powered by Froala Editor